ବିହାର ଟ୍ରେନ୍ ଦୁର୍ଘଟଣା: ରାତିରେ ଓଲଟିଲା ନର୍ଥ-ଇଷ୍ଟ ଏକ୍ସପ୍ରେସ୍; ଗଲାଣି ୪ ଜୀବନ, ୧୦୦ ଆହତ

ଓଏଲ୍ ବ୍ୟୁରୋ: ବିହାର ବକ୍ସର ଜିଲ୍ଲାରେ ଟ୍ରେନ୍ ଦୁର୍ଘଟଣା। ବୁଧବାର ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେଶନରୁ ଗୁହ୍ବାଟିର କାମାକ୍ଷା ଷ୍ଟେଶନ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ରାତି ୯.୩୫ରେ ରଘୁନାଥପୁର ରେଳ ଷ୍ଟେଶନରେ ଦୁର୍ଘଟଣା ହୋଇଥିଲା। ଯାହାଫଳରେ ଟ୍ରେନ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହୋଇପଡ଼ିଥିଲା। ଆଉ ଏପର୍ଯ୍ୟନ୍ତ ୪ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଥିବା ସୂଚନା ରହିଛି।
ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ବର୍ତ୍ତମାନ ମେଡିକାଲରେ ଚାଲିଛି। ପାଖାପାଖୀ ୨୦ ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଯାହାଫଳରେ ତାଙ୍କୁ ପାଟନା ଏମ୍ସରେ ଚିକିତ୍ସା କରାଯାଉଛି। ଆଗକୁ ମୃତକଙ୍କ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ଆଶଙ୍କା ମଧ୍ୟ କରାଯାଉଛି। ବକ୍ସର ଜିଲ୍ଲାପାଳ ଅଂଶୁଲ ଅଗ୍ରଓ୍ବାଲ କହିଛନ୍ତି, ଗୁରୁତର ଆହତଙ୍କୁ ପାଟନା ଏମ୍ସ ପଠାଯାଇଛି। ଆଉ ଅନ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା ନିକଟସ୍ଥ ମେଡିକାଲରେ କରାଯାଉଛି। ହେଲେ ଦୁର୍ଘଟଣା କ’ଣ ପାଇଁ ହେଇଛି ତାର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।
ଗତକାଲି ଦୁର୍ଘଟଣା ଖବର ପ୍ରକାଶ ପାଇବା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ଉଦ୍ଧାରକାରୀ ଦଳ ପହଁଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସେପଟେ ରେଳ ବିଭାଗ ତରଫରୁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ପାଟନା ଜଙ୍କସନ୍ ପାଇଁ 9771449971, ଦାନାପୁର 8905697493, ଆରା ପାଇଁ 8306182542 ନମ୍ବର ଜାରି କରିଛି ରେଳ ବିଭାଗ।