ଅପରେସନ ଅଜୟ: ଇସ୍ରାଏଲରୁ ଭୁବନେଶ୍ୱରକୁ ଫେରିଲେ ୭ ଓଡ଼ିଆ

ଓଏଲ୍ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ ଅପରେସନ୍ ଅଜୟ ଆରମ୍ଭ ହୋଇଛି।
ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ଅପରେସନ୍ ଅଜୟ ଆରମ୍ଭ କରାଯାଇଛି। ଇସ୍ରାଏଲରୁ ‘ଅପରେସନ୍ ଅଜୟ’ର ପ୍ରଥମ ଉଡ଼ାଣ ଆରମ୍ଭ ହୋଇଥିବାବେଳେ ପ୍ରଥମ ବ୍ୟାଚରେ ଇସ୍ରାଏଲରୁ ଭାରତ ଆସିଲେ ୨୧୨ ଭାରତୀୟ। ଅପରେସନ ଅଜୟର ପ୍ରଥମ ପର୍ଯ୍ୟାୟରେ ଯୁଦ୍ଧଭୂମିରୁ ୯ ଓଡ଼ିଆ ଫେରିଥିଲେ। ଏବେ ପୁଣି ଆଉ ୭ ଜଣ ଓଡ଼ିଆ ଯୁଦ୍ଧଗ୍ରସ୍ତ ଇସ୍ରାଏଲରୁ ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଛି।
ଅନ୍ୟପଟେ, ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଇରାନକୁ ଆମେରିକା ଚେତାବନୀ ଦେଇଛି। ହମାସ ସହଯୋଗୀ ଇରାନକୁ ବାଇଡେନ୍ କଡ଼ା ଚେତାବନୀ ଦେବା ସହ ଇରାନକୁ ସତର୍କ ରହିବାକୁ ଆମେରିକା ରାଷ୍ଟ୍ରପତି ବାଇଡେନ କହିଥିଲେ। ଆମେରିକା ଇସ୍ରାଏଲକୁ ସହାୟତାର ହାତ ବଢ଼ାଇ ସାରିଛି। ଆମେରିକୀୟ ଯୁଦ୍ଧ ଜାହାଜ ଓ ଲଢୁଆ ବିମାନ ମୁତୟନ କରିଛୁ। ତେଣୁ ଇରାନ ସାବଧାନ ରହୁ, ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ବୋଲି ରାଷ୍ଟ୍ରପତି ବାଇଡେନ କହିଥିଲେ।