ବସ୍ ଧର୍ମଘଟ ପ୍ରସଙ୍ଗ: ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ଶେଷ
![](https://www.odishalink.com/wp-content/uploads/2021/07/bus1-1.jpg)
ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଆରମ୍ଭ ହେବ ପୂଜା ଛୁଟି। ଆଉ ଏହା ପୂର୍ବରୁ ବସ୍ ଧର୍ମଘଟ ଡାକରା ଦେଇଛି ବସ୍ ମାଲିକ ସଂଘ। ଯାହାଫଳରେ ସାଧାରଣ ଲୋକ ହଇରାଣ ହୋଇପାରନ୍ତି। କାରଣ ୨୦ ତାରିଖ ତଥା ଶୁକ୍ରବାରଠୁ ସାରା ରାଜ୍ୟରେ ବସ୍ ଗଡ଼ବନି ବୋଲି ସଂଘ ପକ୍ଷରୁ କୁହାଯାଇଛି। ସଂଘ ଆହୁରି କହିଛି ଯେ, ଆମ ପାଖରେ ଆଉ କିଛି ବିକଳ୍ପ ନାହିଁ, ଲୋକଙ୍କୁ କ୍ଷମା ମାଗୁଛୁ। ତେବେ ଏନେଇ ରାଜ୍ୟ ସରକାରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ଶେଷ ହୋଇଛି। ଆଲୋଚନା ବିଫଳ କି ସଫଳ ହୋଇନାହିଁ ବୋଲି ସଂଘ କହିଛି। ଅପରାହ୍ଣରେ ସଂଘର ବୈଠକ ପରେ ଆନ୍ଦୋଳନ ନେଇ ନିଷ୍ପତ୍ତି ନେବୁ ବୋଲି କୁହାଯାଉଛି।
ସୂଚନା ଅନୁସାରେ, ପୂର୍ବରୁ ଘରୋଇ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ହେଲେ ଏଥିରୁ କୌଣସି ସୁଫଳ ନମିଳିବା ହେତୁ ଏପରି ବଡ଼ ନିଷ୍ପତ୍ତି ନେଇଛି ସଂଘ। ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ, ମାତ୍ର ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି।
ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ଆସନ୍ତା ୨୦ରୁ ବସ୍ ଧର୍ମଘଟ କରାଯିବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।