ଭସାଣି ପାଇଁ ମୋ ବସ୍ ସେବା ବନ୍ଦ, ଜାରି ହେଲା ସୂଚନା
![](https://www.odishalink.com/wp-content/uploads/2022/11/mo-bus-750x430.jpg)
ଓଏଲ୍ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଭସାଣି ପାଇଁ ମୋ ବସ୍ ସେବା ବନ୍ଦ ରଖାଯାଇଛି। ୩.୩୦ ପରଠାରୁ ମୋ ବସ୍ ଚଳାଚଳ ବନ୍ଦ ରଖାଯାଇଥିବା କ୍ରୁଟ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଜାରି ହୋଇଛି।
https://x.com/CRUT_BBSR/status/1717112845173936588?s=20
ଅନ୍ୟପଟେ, ମେଢ଼ ବିସର୍ଜନ ପାଇଁ ଭୁବନେଶ୍ୱରରେ ରାଜଧାନୀର ୪ ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ହୋଇଛି। ଅସ୍ଥାୟୀ ପୋଖରୀରେ ବିସର୍ଜନ ହେବ ୧୮୪ରୁ ଅଧିକ ମେଢ। ସେହିଭଳି ଦେବୀଗଡ଼ା ୩ଟି ଅସ୍ଥାୟୀ ପୋଖରୀର ବ୍ୟବସ୍ଥା କରାଯାଇଛି। ଚଳିତବର୍ଷ କଟକର ୧୭୭ ମଣ୍ଡପରେ ଦୁର୍ଗାପୂଜା ହୋଇଛି।
ଭୁବନେଶ୍ୱରରେ ଭସାଣିକୁ ଦୃଷ୍ଟିରେ ରଖି, ଗାଡ଼ି ଚାଳକଙ୍କ ପାଇଁ ଗାଇଡଲାଇନ୍ ଜାରି କରିଛି କମିଶନରେଟ୍ ପୁଲିସ। ଜାରି ହୋଇଥିବା ଗାଇଡଲାଇନ ଅନୁସାରେ, ଆଜି ଅପରାହ୍ନ ୩ଟାରୁ ଭସାଣ ଯାତ୍ରା ଆରମ୍ଭ ହୋଇଛି। ଏଥିପାଇଁ ରାତି ଗୋଟିଏ କିମ୍ବା ଭସାଣି ସରିବା ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ।
ସହିଦନଗର, ନୟାପଲ୍ଲୀ ଓ ଉତ୍ତର ଭୁବନେଶ୍ୱରରେ ଭସାଣ ଉତ୍ସବରେ ସାମିଲ ହେବେ ବିଭିନ୍ନ ପୂଜା କମିଟି। ମୃଣ୍ମୟୀ ମୁର୍ତ୍ତି ବିସର୍ଜନ ଲାଗି ଦୟାନଦୀ, ବାଙ୍କୁଆଳରେ ଗୋଟିଏ ଲେଖାଏଁ ଓ କୁଆଖାଇରେ ୨ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି।
ଭୁବନେଶ୍ବରରେ କଟକଣା:
ଭୁବନେଶ୍ୱରରେ ଆଜି ଅପରାହ୍ନ ୩ଟାରୁ ଆରମ୍ଭ ହୋଇଥିବାବେଳେ ରାତି ୧ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ ଚାଲିବ। ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା ରହିବ। ସହିଦ ନଗର ଭସାଣ ବେଳେ ବାଣୀବିହାରରୁ ରୂପାଲି ମଧ୍ୟ ଯାନବାହନ ଯାଇପାରିବ ନାହିଁ। ବାଣୀବିହାରରୁ ସବୁ ଯାନବାହନ ଆଚାର୍ଯ୍ୟବିହାର ଦେଇ ଯିବ। ଜନପଥ ରାସ୍ତାରେ ଯାନବାହନ ମନା ରହିଛି। ସଚିବାଳୟ ରାସ୍ତା ଦେଇ ଯିବାଆସିବା କରାଯିବ। ନୟାପଲ୍ଲୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ।
ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ଯିବା ମନା। ସେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ। ଖୋର୍ଦ୍ଧାରୁ ଆସୁଥିବା ଭାରୀଯାନ ଫାୟାର ଷ୍ଟେସନରୁ ଓଭର ବ୍ରିଜ୍ରେ ଯିବ। ଖିଲାପ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।