ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗ: ଦେବୋତ୍ତର ବିଭାଗରେ କରାଯିବ ବୈଠକ
ଓଏଲ୍ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ଦୁଇ ଦିନ ହେବ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ଦୁଇ ଦିନ ଧରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଆଲୋଚନା ଲାଗି ଦେବୋତ୍ତର ବିଭାଗ ଦ୍ୱାରା ବୈଠକ ଡକାଯାଇଛି। ଆଜି ଦିନ ସାଢେ ୧୧ଟାରେ ଦେବୋତ୍ତର ବିଭାଗରେ ବୈଠକ କରାଯିବ। ଏହି ବୈଠକକୁ ଲିଙ୍ଗରାଜଙ୍କ ସେବାୟତ ଗୋଷ୍ଠୀଙ୍କୁ ଡକାଯାଇଥିବା ସୂଚନା ରହିଛି।
ସୂଚନା ଅନୁସାରେ, ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାଦେବଙ୍କ ନୀତି ହୋଇନାହିଁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ଜଣାପଡିଛି। ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟ ସେବାୟତ ଗୋଷ୍ଠୀ ଠାକୁରଙ୍କ ନୀତି ବନ୍ଦ କରିଥିବା ଜାଣିବାକୁ ମିଳିଛି। ଯାହା ଦ୍ୱାରା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଛି।