‘କୌଣସି ଆନ୍ଦୋଳନ କରାଯିବନି, ବସ୍ ମାଲିକଙ୍କ ସୁବିଧା ଉପରେ ଦିଆଯିବ ଧ୍ୟାନ’

ଓଏଲ୍ ବ୍ୟୁରୋ: ଆଜି ଘରୋଇ ବସ ସଂଘର କୋର କମିଟି ସହ ରାଜ୍ୟ ସରକାର ଆଲୋଚନା କରିଛନ୍ତି। ଏହାର ନିର୍ଯାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅବଗତ କରାଯାଇ ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର କରାଯିବ ବୋଲି କହାଯାଇଥିବାବେଳେ ପରିବହନ ମନ୍ତ୍ରୀଙ୍କ ସହ ବସ୍ ମାଲିକ ସଂଘ ଆଲୋଚନା ଶେଷ ହୋଇଥିବା ଜଣା ପଡିଛି।ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ପ୍ରତିକ୍ରିୟା ରଖିଛନ୍ତି।
ଆଲୋଚନା ପରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବସ୍ ମାଲିକ ସଂଘ ସେମାନଙ୍କ ପ୍ରସ୍ତାବ ୩୦ ତାରିଖ ସୁଦ୍ଧା ଲିଖିତ ଭାବେ ଦେବେ। ବସ୍ ମାଲିକ ଓ ସରକାରଙ୍କ ଲକ୍ଷ୍ୟ ସମାନ, ପରିବହନ ସେବା ଯୋଗାଇବ। ବସ୍ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ। କୌଣସି ଆନ୍ଦୋଳନ କରାଯିବନି ଏବଂ ଆଲୋଚନାରେ ସମାଧାନ ହେବ। ଯେଉଁଠି ବସ୍ ଚାଲୁନଥିଲା ସେଠି ଆମେ ବସ୍ ଚଳାଉଛୁ ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ସୂଚନା ଅନୁସାରେ, ପୂର୍ବରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଯୋଗୁଁ ଲୋକେ ହଟହଟା ହୋଇଛନ୍ତି। ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ହୋଇଥିଲା। ପରେ ଏହି ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ଘୋଷଣା କକାରାଯାଇଥିଲା। ବସ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ମହାନ୍ତି କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ବେଳେ ବ୍ଲକରୁ ଜିଲ୍ଲାକୁ କୌଣସି ଲକ୍ଷ୍ମୀ ଯୋଜନା ବସ ଚାଲିବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ପଞ୍ଚାୟତରୁ ବ୍ଲକକୁ ଗଡିବ, ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବା ସହ ଭଡା ମଧ୍ୟ କମାଇଦେଇଛନ୍ତି।
ଲକ୍ଷ୍ମୀ ଯୋଜନା କାର୍ଯ୍ୟକାରୀ ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ। ତେଣୁ ଏହାକୁ ବିରୋଧରେ ବସ୍ ଧର୍ମଘଟ କରାଯିବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।