ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି ଚାଳନା: ୨୨ ମୃତ, ୫୦ରୁ ଅଧିକ ଆହତ

ଓଏଲ୍ ବ୍ୟୁରୋ: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଆମେରିକା। ପୁଣିଥରେ ଆଖିବୁଜା ଗୁଳି ଚାଳନା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ଯୁବକଙ୍କ ଅତର୍କିତ ଗୁଳିମାଡ଼ରେ ଲେବିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତକଙ୍କୁ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ବୃତ୍ତଙ୍କ ଏଭଳି କାଣ୍ଡ ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦୁର୍ବୃତ୍ତ ଜଣଙ୍କ ସେମି ଅଟୋମେଟିକ ବନ୍ଧୁକରୁ ଗୁଳିମାଡ କରି ଏଭଳି ଜଘନ୍ୟକାଣ୍ଡ ଘଟାଇଛି। ପୁଲିସ ପକ୍ଷରୁ ସନ୍ଦିଗ୍ଧର ଦୁଇଟି ଫଟୋ ଫେସବୁକରେ ସେୟାର କରାଯାଇଛି। ଯେଉଁଥିରେ ଜଣେ ବନ୍ଧୁକଧାରୀ କାନ୍ଧରେ ଅସ୍ତ୍ରଶସ୍ତ୍ର ଧରି ଏକ ପ୍ରତିଷ୍ଠାନରେ ପ୍ରବେଶ କରୁଥିବା ଦେଖାଯାଇଛି। ତେବେ ଗୁଳିମାଡ କରିଥିବା ଦୁର୍ବୃତ୍ତ ଜଣଙ୍କ ଫେରାର ଅଛି। ତାକୁ ଧରିବାକୁ ପୁଲିସ ପକ୍ଷରୁ ତନାଘନା ଚାଲିଛି। ଅନ୍ୟପଟେ ସ୍ଥାନୀୟ ଲୋକମାନଙ୍କୁ ଘରେ ରହିବା ପାଇଁ ପୁଲିସ ପକ୍ଷରୁ ଅପିଲ କରାଯାଇଛି।
୨୦୨୨ ମେ ପରେ ଏଭଳି ବଡ ଧରଣର ଗୁଳିକାଣ୍ଡ ହୋଇଛି । ଟେକ୍ସାସରେ ହୋଇଥିବା ଗୁଳିକାଣ୍ଡରେ ୧୯ଜଣ ଶିଶୁ ଓ ଦୁଇ ଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା। କୋଭିଡ୍ ପରଠାରୁ ଆମେରିକାରେ ଗୁଳିମାଡ ଘଟଣା ଚିନ୍ତାଜନକ ବୃଦ୍ଧି ପାଉଛି। ୨୦୨୨ରେ ୬୪୭ଟି ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି।