ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଇଡିର ସମନ, ଆପ୍ ନେତା କହିଲେ-ଭୟଭୀତ ମୋଦି

ଓଏଲ୍ ବ୍ୟୁରୋ: ଆମ୍ ଆଦମୀ ପାର୍ଟିର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା। ସୋମବାର ରାତିରେ କେଜ୍ରିଓ୍ବାଲଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ଇଡି ଆଜି ତାଙ୍କୁ ସମନ କରିଛି।
ନଭେମ୍ବର ୨ ତାରିଖରେ ଇଡି ନିକଟରେ ହାଜର ହେବା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ କୁହାଯାଇଛି। ଗତ ଏପ୍ରିଲ ମାସରେ ଏହି ମାମଲାରେ ତାଙ୍କୁ ସିବିଆଇ ମଧ୍ୟ ସମନ ଜାରି କରିଥିଲା। ସେ ସିବିଆଇରେ ହାଜର ହୋଇଥିଲେ। ସୂଚନାଥାଉକି, ଦିଲ୍ଲୀ ଅବକାରୀ ନୀତିକୁ ନେଇ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାରେ ପୂର୍ବରୁ ଗିରଫ ହୋଇଛନ୍ତି ଅନ୍ୟତମ ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ।
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ମନା କରିବା ପରେ ଜାତୀୟ ରାଜଧାନୀରେ ରାଜନୀତି ଚରମ ସୀମାରେ ପହଞ୍ଚିଛି। ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ ମିଳିଛି। ଏହାକୁ ନେଇ ଆପ୍ ନେତାମାନେ ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି କେନ୍ଦ୍ର ଏବଂ ବିଜେପି ବିରୋଧରେ ବର୍ଷିଛନ୍ତି।
ଏସବୁ ମଧ୍ୟରେ ଆମ ଆଦମୀ ପାର୍ଟିର ଜାତୀୟ ମୁଖପାତ୍ର ସନ୍ଦୀପ ପାଠକ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୟ କରୁଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଏକ ଷଡଯନ୍ତ୍ର ରହିଛି। ଇଡି ଏବଂ ସିବିଆଇ ମୁଖ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ମୁଁ ନରେନ୍ଦ୍ର ମୋଦିଙ୍କୁ କହିବାକୁ ଚାହେଁ – ଆମେ ଭୟ କରୁନାହୁଁ, କାରଣ ଅରବିନ୍ଦ କେଜ୍ରିୱାଲ ସତ୍ୟ ସହିତ ଠିଆ ହୋଇଛନ୍ତି।