ଦେଶ ପାଳୁଛି ରାଷ୍ଟ୍ରୀୟ ଏକତା ଦିବସ, ଭାରତର ଲୌହ ମାନବଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି

ଓଏଲ୍ ବ୍ୟୁରୋ: ଆଜି ହେଉଛି ଭାରତର ପ୍ରଥମ ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ। ପ୍ରତିବର୍ଷ ଏହି ଦିନକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରିୟ ଏକତା ଦିବସ’ ଭାବେ ପାଳନ କରାଯାଏ। ଏହି ବର୍ଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୮ ତମ ଜନ୍ମ ବାର୍ଷିକୀ। ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ‘ରନ୍ ଫର୍ ୟୁନିଟ’ କାର୍ଯ୍ୟକ୍ରମ ଆୟୋଜନ ହୋଇଛି।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମଦିବସ ଅବସରରେ ପଟେଲ ଚୌକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ଦିଲ୍ଲୀ ଏଲଜି ଭିକେ ସକ୍ସେନା ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପଟେଲଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୩୧ ଅକ୍ଟୋବରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ୨୦୧୪ରେ କେନ୍ଦ୍ରର ମୋଦୀ ସରକାର ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ୩୧ ଅକ୍ଟୋବରରେ ‘ଜାତୀୟ ଏକତା ଦିବସ’ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଷ୍ଟ୍ର ଏକତା ପାଇଁ ସର୍ଦ୍ଦାର ପଟେଲଙ୍କ ଉଦ୍ୟମକୁ ସ୍ୱୀକାର କରିବା ପାଇଁ ‘ଜାତୀୟ ଏକତା ଦିବସ’ ପାଳନ କରାଯାଏ।