ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ ପାଣ୍ଡିଆନ୍: କଂଗ୍ରେସ ନେତା

ଓଏଲ୍ ବ୍ୟୁରୋ: ନିର୍ବାଚନକୁ ଆଉ ୬ ମାସରୁ କମ୍ ସମୟ ଥିବାବେଳେ ଓଡ଼ିଶା ରାଜନୈତିକ ମାହୋଲ ଉଷ୍ମ ହେବାରେ ଲାଗିଛି। ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଯେବେଠୁ ଆଇଏଏସ୍ ଚାକିରି ଛାଡ଼ି ନବୀନ ଓଡ଼ିଶା ଓ ୫-ଟି ଅଧ୍ୟକ୍ଷ ହୋଇଛନ୍ତି ସେବେଠୁ ଓଡ଼ିଶା ରାଜନୀତି ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ କଂଗ୍ରେସ ନେତା ଆଣିଛନ୍ତି ବଡ଼ ଅଭିଯୋଗ। ଯାହା ରାଜନୈତିକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ହେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା।
ବଲାଙ୍ଗୀର ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ରାଜ୍ୟରେ ଅନେକ ଦକ୍ଷ୍ୟ ଆଇଏଏସ୍ ଅଧିକାରୀ ଅଛନ୍ତି, ତେବେ ପାଣ୍ଡିଆନ୍ କ’ଣ ପାଇଁ ନବୀନ ଓଡ଼ିଶା ଓ ୫-ଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ। ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ବିଜେଡି ତାଙ୍କୁ କ’ଣ ପାଇଁ ଏଭଳି ଦାୟିତ୍ବ ପ୍ରଦାନ କଲା ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି। ଏଥିସହିତ ସେ ବଡ଼ ଅଭିଯୋଗ ଆଣି କହିଛନ୍ତି ଯେ, ଉଭୟ ବିଜେଡି ଓ ବିଜେପି ଚାହୁଁଛନ୍ତି ପାଣ୍ଡିଆନ୍ ଆଗାମୀ ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
ଶ୍ରୀ ବେହେରାଙ୍କ ପ୍ରତିକ୍ରିୟା ପରେ ବିଜେଡି ନେତା ଅଶୋକ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଶ୍ରୀ ବେହେରା ଯେଉଁ ପ୍ରତିକ୍ରିୟା ରଖିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ପାଣ୍ଡିଆନ୍ ୫-ଟି ସଚିବ ଥିବାବେଳେ ଯେଉଁଭଳି ଭାବେ ଓଡ଼ିଶାବାସୀଙ୍କ ପାଇଁ କାମ କରୁଥିଲେ ତାକୁ ନଜରରେ ରଖି ପାଣ୍ଡିଆନ୍ ଚାକିରିରୁ ଅବସର ନେଲା ପରେ ବି ୫-ଟି ଦାୟିତ୍ବ ମୁଖ୍ୟମନ୍ତ୍ରୀ ତାଙ୍କୁ ନ୍ୟସ୍ତ କରିଛନ୍ତି। କାରଣ ପାଣ୍ଡିଆନ୍ଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ଅଛି।
ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀ ହେବା ପ୍ରସଙ୍ଗରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଏଭଳି କଥାର କୌଣସି ସତ୍ୟତା ନାହିଁ। ପାଣ୍ଡିଆନ୍ ବିଜୁ ଜନତା ଦଳରେ ସାମିଲ ହୋଇ ନାହାନ୍ତି। ତେବେ କେଉଁ ଆଧାରରରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତାହା କେବଳ ଶ୍ରୀ ବେହେରାଙ୍କୁ ଜଣାଥିବ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି। ସୂଚନାଥାଉକି, ଅକ୍ଟୋବର ୨୩ ତାରିଖରେ ଆଇଏଏସ୍ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିଲେ।