ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ଜଗମୋହନ ମରାମତି ମାମଲା: ସତ୍ୟପାଠ ପ୍ରତ୍ୟାହାର କଲା ଏଏସ୍ଆଇ
ଓଏଲ୍ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହି ମାମଲାରେ ଏକ ବଡ ଖବର ସାମ୍ନାକୁ ଆସିଛି। ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ପ୍ରତ୍ୟାହାର କରିଛି। ତେବେ ଏହି ମାମଲାରେ ଆସନ୍ତା ୧୫ ତାରିଖରେ ପରବର୍ତୀ ଶୁଣାଣି କରାଯିବ। ପୂର୍ବରୁ ହାଇକୋର୍ଟ ଦାଖଲ କରିଥିବା ସତ୍ୟପାଠରେ ମରାମତି କାମର ଅଗ୍ରଗତି ନେଇ ଉଲ୍ଲେଖ କରାଯାଇଥିଲା। ଯାହାକୁ ନେଇ ହାଇକୋର୍ଟ ଖପ୍ପା ହୋଇଥିଲେ। ଏଏସ୍ଆଇ ପୁଣିଥରେ ସତ୍ୟପାଠ ଦାଖଲ କରିବ।
ଅନ୍ୟପଟେ, ଆସନ୍ତା ୨୦୨୪ ରଥଯାତ୍ରା ସମୟରେ ଶ୍ରୀମନ୍ଦିରସ୍ଥ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଗଚ୍ଛିତ ଥିବା ମୂଲ୍ୟବାନ ସମ୍ପତ୍ତିର ଗଣତି, ମଣତି ଏବଂ ଏଏସଆଇ ଦ୍ୱାରା ରତ୍ନଭଣ୍ଡାର ମରାମତି ସମ୍ପର୍କିତ କାର୍ଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।
ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସମୟରେ ବା ଆଗାମୀ ଦିନରେ ରତ୍ନଭଣ୍ଡାର ଖୋଲିବା ଉଚିତ୍ ହେବ ନାହିଁ। ରଥଯାତ୍ରା ସମୟ ରତ୍ନଭଣ୍ଡାର ଖୋଲାଯିବାର ଉଚିତ୍ ସମୟ। ଏହି ସମୟରେ ରତ୍ନଭଣ୍ଡାରର ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇ ସେଠାରେ ଥିବା ବହୁମୂଲ୍ୟ ଅଳଙ୍କାରର ଗଣତି କରାଯିବ। ଏନେଇ ଗତ ଅଗଷ୍ଟ ୪ ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇ ରାଜ୍ୟ ସରକାରଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି ବୋଲି ଗଜପତି ମହାରାଜ ଜଣାଇଛନ୍ତି।