ବଢ଼ିବ ଶୀତର ପ୍ରକୋପ; ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ

ଓଏଲ୍ ବ୍ୟୁରୋ: ବଢିପାରେ ଥଣ୍ଡାର ପରିମାଣ। ଦକ୍ଷିଣ-ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ସକ୍ରିୟ ରହିଥିବା ବେଳେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ବାୟୁମଣ୍ଡଳରେ ୧.୫ କିମି ଯାଏଁ ସକ୍ରିୟ ରହିଛି। ତେବେ ଏହା ପ୍ରଭାବରେ ଆସନ୍ତାକାଲି ଅର୍ଥାତ୍ ନଭେମ୍ବର ୧୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ସୂଚନା ଦିଆଯାଇଛି।
ଭୁବନେଶ୍ବର ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆସନ୍ତାକାଲି ଲଘୁଚାପ ହେବ। ଲଘୁଚାପ କ୍ଷେତ୍ରଟି କ୍ରମେ ଘନୀଭୂତ ହୋଇ ୧୬ ତାରିଖ ବେଳକୁ ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ୧୫ ତାରିଖରୁ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ସମେତ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ଆକଳନ କରିଛି ପାଣିପାଗ ବିଭାଗ। ସେହିପରି ପାହାନ୍ତିଆରେ ମଧ୍ୟ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି। ଆଜି ସକାଳେ ପାଗ ମେଘୁଆ ରହିଥିଲା।
ଏବେ ଉତ୍ତର -ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଛି ଥଣ୍ଡା ଶୁଷ୍କ ପବନ। ପ୍ରଭାବରେ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ସେପଟେ ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ଚାଷୀଙ୍କୁ ସତର୍କ କରିଛି ପାଣିପାଗ କେନ୍ଦ୍ର। ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି।