Odisha Link
Bridging the Missing Links in Odisha

ଶିଶୁଦିବସରେ ରାଜ୍ୟ ସରକାରଙ୍କର ଅଭିନବ ପ୍ରୟାସ; ଆରମ୍ଭ ହେଲା ‘ଆମ କୁନି ପିଲା’ ଯାେଜନା

ଓଏଲ୍‌ ବ୍ୟୁରୋ: ଆଜି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜନ୍ମ ଜୟନ୍ତୀ। ଏହି ଅବସରରେ ଶିଶୁଙ୍କ ପାଇଁ ଶିଶୁ ଦିବସ ପାଳନ କରାଯାଉଛି। ଏହି ଅବସରରେ ‘ଆମ କୁନି ପିଲା’ ଯାେଜନାର ଶୁଭାରମ୍ଭ କରାଯାଇଛି। ଏବେ ଘରର ପୁରୁଷ ସଦସ୍ୟମାନଙ୍କୁ ଶିଶୁ ଯତ୍ନରେ ସମ୍ପୃକ୍ତି କରାଯିବ। ଅଙ୍ଗନବାଡି କର୍ମୀ ତିନି ବର୍ଷରୁ କମ୍ ପିଲାଙ୍କ ସହ ଗଳ୍ପ ଓ ଭାବ ବିନିମୟ କରିବେ। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ଦିବସରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି।

ଜବାହରଲାଲ ନେହରୁ ଉତ୍ତର ପ୍ରଦେଶର ଆହ୍ଲାବାଦ ସହରରେ ଏକ କଶ୍ମୀର ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ମୋତିଲାଲ ନେହରୁ ଓ ମାତାଙ୍କ ନାମ ସ୍ୱରୂପାରାଣୀ ଥିଲା। ସେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ।

୧୯୬୪ ମସିହା ମଇ ମାସ ୨୭ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ନେହରୁଙ୍କ ଦେହାନ୍ତ ପରେ ପିଲାଙ୍କ ପ୍ରତି ତାଙ୍କ ଭଲ ପାଇବାକୁ ସମ୍ମାନ ଜଣାଇ ତାଙ୍କ ଜନ୍ମଦିବସକୁ ଶିଶୁ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏ ସମ୍ପର୍କରେ ସଂସଦରେ ଏକ ପ୍ରସ୍ତାବ ପାରିତ କରାଯାଇଥିଲା। ଏହାପରେ ପ୍ରଥମ ଥର ପାଇଁ ୧୯୬୫ରେ ଶିଶୁ ଦିବସ ପାଳନ କରାଯାଇଥିଲା।

କୁହାଯାଏ ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁଟିର ସରଳ ନିଷ୍ପାପ ହସ ଓ ଛନ୍ଦକପଟହୀନତାର ସମାହାର ତାକୁ ବାଟ କଢ଼ାଇନିଏ ଆଗକୁ ଆଗକୁ। ପରିବାର ଭିତରୁ ହିଁ ସେ ଜୀବନର ମଧୁରତା ସଂଗ୍ରହ କରିଥାଏ। ଏକ ଶାନ୍ତ, ସୁସଂପନ୍ନ, ସେହ୍ନସିକ୍ତ ପରିବାରରେ ବଢ଼ିଥିବା ଶିଶୁଟିଏ ଭବିଷ୍ୟତର ସୁନାଗରିକ ଓ ସୁସଂହତ ସମାଜ ସଂଗଠନରେ ମୁଖ୍ୟଭୂମିକା ଗ୍ରହଣ କରିଥାଏ। ଏହି କଥାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ପଣ୍ଡିତ ଜବାହରଲାଲ ନେହରୁ।

କୁନି କୁନି ପିଲାଙ୍କୁ ସେ ଅଜସ୍ର ସ୍ନେହ କରୁଥିଲେ। ସେଥିପାଇଁ ପିଲାମାନେ ତାଙ୍କୁ ସ୍ନେହରେ ‘ଚାଚା ନେହରୁ’ ବୋଲି ଡାକୁଥିଲେ। ତେଣୁ ଭବିଷ୍ୟତର ନାଗରିକମାନଙ୍କ ଶିକ୍ଷା ଉପରେ ସେ ବିଶେଷ ଧ୍ୟାନ ଦେଇଥିଲେ। ସେହି ମହାନ ରାଷ୍ଟ୍ରନେତାଙ୍କର ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି। ଦେଶର କୋଣ ଅନୁକୋଣରେ, ପଲ୍ଲୀଠୁ ଦିଲ୍ଲୀ ସବୁଠି ଶିଶୁ ଦିବସକୁ ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଏ। ଶିଶୁଙ୍କ ଅଧିକାର, ଦାୟିତ୍ୱ ଓ ଶିକ୍ଷା ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ସାରା ଦେଶରେ ଏହି ଦିବସ ପାଳନ କରାଯାଏ।

Leave A Reply

Your email address will not be published.