ମଧ୍ୟପ୍ରଦେଶରେ ଚାଲିଛି ଭୋଟ୍ ଗ୍ରହଣ; ମତ ଦେଲେ ମିଳୁଛି ପୋହା ଉପମା!
ଓଏଲ୍ ବ୍ୟୁରୋ: ଗଡ଼ୁଛି ଦିନ ଆଉ ବଢୁଛି ରାଜନୈତିକ ରଣନୀତି। ଆଉ ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଛି। ବିଭିନ୍ନ ରାଜନୈତିକ ଦଳ ମଧ୍ୟ ନିର୍ବାଚନକୁ ଆଖି ଆଗରେ ରଖି ଅଙ୍କକଷା ଆରମ୍ଭ କରି ସାରିଲେଣି। ତେବେ ଏହାରି ମଧ୍ୟରେ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଆରମ୍ଭ ହୋଇ ସାରିଛି। ଆଜି ଛତିଶଗଡ଼ରେ ଅନ୍ତିମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଛତିଶଗଡ଼ରେ ସକାଳ ୮ରୁ ସଂଧ୍ୟା ୫ଟା, କିଛି ସ୍ଥାନରେ ୩ଟା ଯାଏଁ ଭୋଟିଂ ଚାଲିବ। ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ବାଘେଲଙ୍କ ସମେତ ମଇଦାନରେ ୯୫୮ ପ୍ରାର୍ଥୀ ରହିଛନ୍ତି।
ସେହିପରି ଆଜି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶର ସମସ୍ତ ୨୩୦ଟି ଆସନ ପାଇଁ ଆଜି ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଚାଲିଛି। ଏହା ସହ ଭୋଟିଂ ବେଳେ ମାଗଣାରେ ଉପମା ବଣ୍ଟାହେବାର ଦୃଶ୍ୟ ସାମ୍ନାକୁ ଆସିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ୯ଟା ପୂର୍ବରୁ ଭୋଟ ଦେଇଥିବା ଲୋକଙ୍କୁ ମାଗଣାରେ ପୋହା ଉପମା ବଣ୍ଟା ଯାଇଥିଲା। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସେପଟେ ଛତିଶଗଡ ବିଧାନସଭା ପାଇଁ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ। ଛତିଶଗଡ଼ର ୭୦ଟି ଆସନ ପାଇଁ ସକାଳୁ ମତଦାନ ଆରମ୍ଭ ହୋଇଛି। ମୋଟ ୯୫୮ ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ ୧ କୋଟି ୬୩ ଲକ୍ଷ ୧୪ ହଜାର ୪୭ ଜଣ ଭୋଟର। ଏଥିପାଇଁ ୧୮ ହଜାର ୮୩୩ ଟି ବୁଥ୍ କରାଯାଇଛି। ମଧ୍ୟପ୍ରଦେଶରେ ସକାଳ ୭ରୁ ସଂଧ୍ୟା ୬ଟା ଯାଏଁ ମତଦାନ ଚାଲିବ।