ଦିଲ୍ଲୀରେ ୧୦ ଦିନ ପରେ ସ୍କୁଲ ଗଲେ ଛାତ୍ରଛାତ୍ରୀ; ଜାରି ହେଲା କଟକଣା
ଓଏଲ୍ ବ୍ୟୁରୋ: ଦିଲ୍ଲୀରେ ଚିନ୍ତା ବଢ଼ାଉଛି ପ୍ରଦୂଷଣ। ଭାରତର ରାଜଧାନୀରେ ପ୍ରଦୂଷଣର ଭୟ ବଢିଛି। ବିଷାକ୍ତ ବାୟୁରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ। ତେବେ ଏହାରି ମଧ୍ୟରେ ଦିଲ୍ଲୀରେ ଆଜିଠାର ବିଦ୍ୟାଳୟ ଖୋଲିଲା। ପ୍ରାଥମିକ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟଗୁଡିକ ଖୋଲାଯାଇଛି। ଏନେଇ ଦିଲ୍ଲୀ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ପରେ ସ୍କୁଲ ଖୋଲିଛି। ସ୍କୁଲ ଖୋଲାହେଲେ ମଧ୍ୟ ପାଠ ପଢା ବ୍ୟତୀତ ବାହାରେ ଖେଳକୁଦ ଉପରେ ଆଗାମୀ ସପ୍ତାହ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି।
ଗମ୍ଭୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ଶୀତକାଳୀନ ଅବକାଶ ଚଳିତ ନଭେମ୍ବର ୯ରୁ ୧୮ ତାରିଖ ପର୍ଯ୍ୟନ୍ତ ବନ୍ଦ ଥିଲା। ପ୍ରଦୂଷଣ କମିଥିବାରୁ ଦିଲ୍ଲୀରେ ଶନିବାର ଠାରୁ ଜିଆରଏପି-୪ ନିୟମକୁ ହଟାଇ ଦିଆଯାଇଛି। କିନ୍ତୁ ସମସ୍ତ ନିର୍ମାଣାଧୀନ କାର୍ଯ୍ୟ ସାଙ୍ଗକୁ ଟ୍ରକ ଚଳାଚଳ ଉପରେ ଏବେବି କଟକଣା ରହିଛି। ଦିଲ୍ଲୀରେ ଆଜି ସକାଳୁ ବାୟୁର ଗୁଣବତ୍ତା ୩୧୦ ରହିଛି। ଯାହାକି ଖରାପ ଶ୍ରେଣୀରେ ଅଛି। ଲଗାତାର କିଛି ଦିନ ଧରି ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନର ରହିବା ପରେ ରାଜଧାନୀ ବାସୀ ଏବଂ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।