ମାତ୍ର ୪ ଦିନରେ ବନ୍ଦ ହେଲା ବିଧାନସଭା
![](https://www.odishalink.com/wp-content/uploads/2020/02/Odisha-assembly-1212-750x430.jpg)
ଓଏଲ୍ ବ୍ୟୁରୋ: ନଭେମ୍ବର ୨୧ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା ବିଧାନସଭାର ଶୀତକାଳୀନ ଅଧିବେଶନ। ମୋଟ ୩୦ଟି କାର୍ଯ୍ୟ ଦିବସ ଥିଲା। ହେଲେ ୨୬ଟି କାର୍ଯ୍ୟଦିବସ ଥାଇ ଆଜି ଅଚାନକ ବିଧାନସଭାର ଶୀତ ଅଧିବେଶନକୁ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ଶାସକ ଦଳର ପ୍ରସ୍ତାବ ଆଧାରରେ ବାଚସ୍ପତି ଗୃହକୁ ମୁଲତବୀ କରିଛନ୍ତି। ମାତ୍ର ୪ଟି କାର୍ଯ୍ୟଦିବସରେ ଗୃହକୁ ବନ୍ଦ କରିଦେଲେ ସରକାର।
ଶୁକ୍ରବାର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ମୋସନ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି।ଯାହାକୁ କି ସମର୍ଥନ ଜଣାଇଥିଲେ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ଓ ଭୁପିନ୍ଦର ସିଂ। ତେବେ ଆଗୁଆ ବିଧାନସଭା ବନ୍ଦ କରାଯିବା ନିଷ୍ପତ୍ତିକୁ ବିରୋଧ କରି ବିଜେପି ଓ କଂଗ୍ରେସର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତେବେ ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତର ଆଇନକୁ ନେଇ ପ୍ରବଳ ହୋ ହଲ୍ଲା ହୋଇଥିଲା। ଯାହାପରେ ବିଧାନସଭାକୁ ଆଜି ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦିଆଯାଇଛି।
ସୂଚନାଯୋଗ୍ୟ, କ୍ୟାଲେଣ୍ଡର ବର୍ଷରେ ୩ଟି ପର୍ଯ୍ୟାୟରେ ବିଧାନସଭାର ଅଧିବେଶନ ମୋଟ ୩୪ଦିନ ବସିଛି । ଯଦିଓ କ୍ୟାଲେଣ୍ଡର ବର୍ଷରେ ୬୦ଦିନ ବସିବାର ପ୍ରାବଧାନ ରହିଛି। ଚଳିତ କ୍ୟାଲେଣ୍ଡର ବର୍ଷରେ ବଜେଟ୍ ଅଧିବେଶ ଫେବୃୟାରୀ ୨୧ରୁ ଏପ୍ରିଲ ୬ତାରିଖ ପର୍ଯ୍ୟନ୍ତ ମୋଟ ୨୭ଦିନ ବସିବାର କାର୍ଯ୍ୟସୂଚୀ ଥିଲା। କିନ୍ତୁ ଗୃହ ମାତ୍ର ୨୩ଦିନ ଚାଲିଥିଲା।ସେହିପରି ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୨ରୁ ଅକ୍ଟୋବର ୪ତାରିଖ ପର୍ଯ୍ୟନ୍ତ ମୋଟ ୮ଦିନ ବସିବାର ଥିଲା। କିନ୍ତୁ ଗୃହ ୭ଦିନ ଚାଲିଥିଲା।ଏବେ ଶୀତ ଅଧିବେଶନ ୩୦ଦିନ ବସିବାର ଥିଲା କିନ୍ତୁ ମାତ୍ର ୪ଦିନରେ ଶେଷ ହୋଇଛି।ଅର୍ଥାତ୍ ଚଳିତ କ୍ୟାଲେଣ୍ଡର ବର୍ଷରେ ଗୃହ ମାତ୍ର ୩୪ଦିନ ଚାଲିବା ସମ୍ଭବପର ହୋଇଛି।