ରାୟପୁର ଷ୍ଟାଡିୟମ୍ରେ ନାହିଁ ବିଦ୍ୟୁତ; ଜେନରେଟର ଭରସାରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍

ଓଏଲ୍ ବ୍ୟୁରୋ: ବର୍ତ୍ତମାନ ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ଟି-୨୦ ସିରିଜ ଚାଲିଛି। ପ୍ରଥମ ଦୁଇଟି ମୁକାବିଲାରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ହରାଇ ସିରିଜରେ ୨-୦ରେ ଆଗୁଆ ରହିଛି। ସିରିଜର ତୃତୀୟ ମୁକାବିଲା ନଭେମ୍ବର ୨୮ରେ ଗୁଆହାଟିରେ ଖେଳାଯିବ। ଏଥିପାଇଁ ଦଳ ଆରମ୍ଭ ଆଜି ସନ୍ଧ୍ୟାରେ ଝାଳବୁହା ପରିଶ୍ରମ କରିଛି। ଏହାପରେ ଡିସେମ୍ବର ପହିଲାରେ ରାୟପୁରର ଶହିଦ ବୀର ନାରାୟଣ ସିଂ ଷ୍ଟାଡିୟମ୍ରେ ସିରିଜର ୪ର୍ଥ ମୁକାବିଲା ଖେଳାଯିବ। ଏଥିପାଇଁ ଟିକେଟ ବିକ୍ରି ମଧ୍ୟ ଜାରି ରହିଛି। ହେଲେ ଏହି ମୁକାବିଲା ସମ୍ପୂର୍ଣ୍ଣ ଭାବେ ଜେନେରେଟର ଭରଷାରେ ଖେଳାଯିବ। କାରଣ ଷ୍ଡାଡିୟମ୍ ଉପରେ ପାଖାପାଖି ସାଢ଼େ ୩ କୋଟି ଟଙ୍କାର ବକେୟା ବିଦ୍ୟୁତ ବିଲ୍ ରହିଛି। ଟଙ୍କା ପୈଠ ନକରିବା ଫଳରେ ୫ ବର୍ଷ ତଳେ ଲାଇନ୍ କାଟି ଦେଇଥିଲା ବିଦ୍ୟୁତ ବିଭାଗ।
ପିଡବ୍ଲୁଡି ଓ ଛତିଶଗଡ଼ ରାଜ୍ୟ କ୍ରିକେଟ ସଂଘର ଅନୁରୋଧ ପରେ ଅସ୍ଥାୟୀ ବିଦ୍ୟୁତ ସଂଯୋଗ ଷ୍ଟାଡିୟମ୍କୁ ଦିଆଯାଇଛି। ଯେଉଁଥିରେ କି ଷ୍ଟାଡିୟମ୍ର ରୁମ୍ ଆଲୋକିତ ହୋଇଛି। ହେଲେ ଫ୍ଲଡ ଲାଇଟ୍ ଜଳିବା ପାଇଁ ଜେନେରେଟର ବ୍ୟବହାର କରାଯାଏ। ମ୍ୟାଚ ସମୟରେ କିଛି ଅବ୍ୟବସ୍ଥା ନହେବା ପାଇଁ ଦର୍ଶକଙ୍କ ପ୍ରବେଶଠୁ ଆରମ୍ଭ କରି ଦର୍ଶକ ଷ୍ଟାଡିୟମ୍ ଛାଡ଼ିବା ପର୍ଯ୍ୟନ୍ତ ଜେନେରଟର ଚାଲୁ ହୋଇଥାଏ।
ରାୟପୁର ଗ୍ରାମୀଣ ସର୍କଲ ପ୍ରଭାରୀ ଅଶୋକ ଖଣ୍ଡେଓ୍ବାଲେ କହିଛନ୍ତି, କ୍ରିକେଟ ସଂଘର ସଚିବ ଅସ୍ଥାୟୀ ସଂଯୋଗୀକରଣର କ୍ଷମତାକୁ ବୃଦ୍ଧି କରିବାକୁ ଆବେଦନ କରିଛନ୍ତି। ବର୍ତ୍ତମାନ ଅସ୍ଥାୟୀ ସଂଯୋଗୀକରଣ କ୍ଷମତା ୨୦୦ କେଭି ଅଛି। ତାହାକୁ ୧ ହଜାର କେଭି ବୃଦ୍ଧି କରିବା ପାଇଁ ଆବେଦନ କରଯାଇଥିଲା। ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ ମଧ୍ୟ ଏହାକୁ ଗ୍ରହଣ କରାଯାଈଛି। ଅସ୍ଥାୟୀ ମିଟର ଲଗାଇ ବିଦ୍ୟୁତ ସଂଯୋଗ ଦେବ ବୋଲି ବିଦ୍ୟୁତ ବିତରଣ କମ୍ପାନୀ ପକ୍ଷରୁ କୁହାଯାଇଛି।