ଭୀଷଣ ବାତ୍ୟାର ରୂପ ନେଲା ‘ମିଗ୍ଜାଉଁ’; କାଲିଠୁ ଓଡ଼ିଶାରେ ବର୍ଷା!

ଓଏଲ୍ ବ୍ୟୁରୋ: ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ମିଗ୍ଜାଉଁ’। ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାକୁ ୮ କିମି ବେଗରେ ଅଗ୍ରସର ହେଉଛି। ଚେନ୍ନାଇର ପୂର୍ବ ଉତ୍ତରପୂର୍ବକୁ ୯୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ନେଲୋରରୁ ୧୭୦ ଓ ପୁଡୁଚେରୀରୁ ୨୦୦ କିମି ଦୂରରେ ବାତ୍ୟା ରହିଛି। ବାପଟ୍ଲାରୁ ୩୦୦ ଓ ମଛଲିପଟନମର ୩୨୦ କିମି ଦୂରରେ ବାତ୍ୟା ରହିଛି।
ଅଧିକ ଘନୀଭୂତ ହୋଇ କାଲି ଆନ୍ଧ୍ର ଉପକୂଳ ଅତିକ୍ରମ କରିବ। ନେଲୋର ଓ ମଛଲିପଟନମ୍ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ। ଭୀଷଣ ବାତ୍ୟା ରୂପ ନେଇ ବାପଟ୍ଲା ପାଖରେ ଅତିକ୍ରମ କରିବ। ସ୍ଥଳଭାଗ ଅତିକ୍ରମ ବେଳେ ପବନର ବେଗ ୯୦ରୁ ୧୦୦ କିମି ରହିବ। ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ପ୍ରଭାବରେ ଆଜିଠୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ଭାରି ବର୍ଷା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ୫ ତାରିଖରେ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ।
ବାତ୍ୟା ‘ମିଗ୍ଜାଉଁ’ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଜୋରରେ ପବନ ବହିବାର ଆଶଙ୍କା ରହିଛି। ବାତ୍ୟା ମିଗ୍ଜୋମ୍ର ବିଶେଷ ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଦକ୍ଷିଣ ଓଡ଼ିଶାରେ ଏହା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇସାରିଥିବ। ତେଣୁ ଦକ୍ଷିଣ, ଆଭ୍ୟନ୍ତର ଓଡ଼ିଶାରେ ପବନ କମ୍, ବର୍ଷା ଅଧିକ ହେବ।
୪ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ୫ରୁ ବର୍ଷା ବଢ଼ିବ, କିଛି ଜାଗାରେ ପ୍ରବଳ ବର୍ଷା ହେବ, ୬ରେ ବି ବର୍ଷିବ। ବର୍ଷା ଅଧିକ ହେଲେ ବି ପବନ ବିଶେଷ ଅଧିକ ହେବ ନାହିଁ। ଓଡ଼ିଶାରେ ୩୫ରୁ ୪୫ କିମି ବେଗରେ ପବନ ବହିପାରେ। ବର୍ଷା ଓ ପବନ ଯୋଗୁଁ ପାଚିଲା ଧାନ, ପରିବା ନଷ୍ଟ ହୋଇପାରେ ମତ୍ସ୍ୟଜୀବୀମାନେ ୬ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ଯାଆନ୍ତୁନି ବୋଲି ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।