ଦୁର୍ବଳ ହେଲା ବାତ୍ୟା ‘ମିଗ୍ଜାଉଁ’; ଟ୍ୱିନ୍ ସିଟିରେ ଲାଗିରହିଛି ବର୍ଷା
ଓଏଲ୍ ବ୍ୟୁରୋ: ବାତ୍ୟା ‘ମିଗ୍ଜାଉଁ’ ପ୍ରଭାବ ଧୀରେ ଧୀରେ ଦୁର୍ବଳ ହେଲା। ଏହା ପ୍ରଭାବରେ ଟ୍ୱିନ୍ ସିଟିରେ ବର୍ଷା ଲାଗିରହିଛି। ଓଡ଼ିଶାରେ ବାତ୍ୟା ‘ମିଗ୍ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। ଲଗାଣ ବର୍ଷା ଯୋଗୁଁ ଛୋଟ ଧରଣର ଭୂସ୍ଖଳନ ହୋଇଛି। କୋଟିଆ ପଞ୍ଚାୟତ ମାଡକାର ଗାଁ ଯିବା ବାଟରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ଛୋଟ ଛୋଟ ପଥର ଖସି ରାସ୍ତାରେ ପଡ଼ିଛି। ରାସ୍ତାକୁ ପଥର ଖସିଥିଲେ ବି କେହି ଆହତ ହୋଇନଥିବା ସୂଚନା ରହିଛି।
ଅନ୍ୟପଟେ, କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି। ‘ମିଗ୍ଜାଉଁ’ର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି। ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ବର୍ଷାକୁ ଦୃଷ୍ଟିରେ ରଖି ଆଜି ଗଜପତିରେ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି ବନ୍ଦ ରହିବ।
ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍ ଟର୍ମିନାଲ ଜଳାର୍ଣ୍ଣବ ହୋଇଛି। ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍ ସୂଚନା ରହିଛି। ବାତ୍ୟା ପ୍ରଭାବରେ ଚେନ୍ନାଇ ସ୍ଥିତି ବେହାଲ ହୋଇପଡିଛି। ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ୮ଜଣଙ୍କ ମୃତ୍ୟୁ ହୋଇଛି। ବାତ୍ୟା ପ୍ରଭାବରେ ଭୁବନେଶ୍ବରରୁ ଚେନ୍ନାଇ ଓ ବାଙ୍ଗାଲୋର ମଧ୍ୟରେ ଗୋଟିଏ ଲେଖାଏଁ ବିମାନ ବାତିଲ ହୋଇଛି।
ବାତ୍ୟା ‘ମିଗ୍ଜାଉଁ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।