Odisha Link
Bridging the Missing Links in Odisha

କୃଷକଙ୍କ ହକ୍ ପାଇଁ ସଂସଦରେ ଦାବି ଉଠାଇଲେ ସସ୍ମିତ ପାତ୍ର

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଥିବାବେଳେ ଓଡ଼ିଶାର ଚାଷୀଙ୍କ ସ୍ବାର୍ଥରେ ପୁଣି ଅଣ୍ଟା ଭିଡିଲା ବିଜେଡି। ଅନ୍ନଦାତାଙ୍କୁ ହକ ଦେବାକୁ ସଂସଦରେ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ସେ ଉପସ୍ଥାପନା କରିଛନ୍ତି, ଓଡ଼ିଶାର କୃଷକଙ୍କ ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନେବାରେ ଆବଶ୍ୟକତା ରହିଛି। ତିନୋଟି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଅଛି ଯାହା ଓଡ଼ିଶାର କୃଷକ ମାନଙ୍କ ସମସ୍ୟା ସମ୍ବନ୍ଧୀୟ ଯାହାର ସମାଧାନର ଆବଶ୍ୟକତା ରହିଛି।

ସର୍ବ ପ୍ରଥମେ ଓଡ଼ିଶାର ଚାଷୀଙ୍କୁ ଫସଲ ବୀମା ରାଶି ଦେବାରେ ବିଳମ୍ବ ହେଉଛି। ବିଶେଷକରି ପଶ୍ଚିମ, ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଅନେକ କୃଷକ ଏହି କାରଣରୁ ଯନ୍ତ୍ରଣା ଭୋଗୁଛନ୍ତି। ଦ୍ୱିତୀୟ ପ୍ରସଙ୍ଗ ହେଉଛି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଏମଏସପିକୁ କୁଇଣ୍ଟାଲ ପିଚ୍ଛା ୨୯୩୦ ଟଙ୍କା ସ୍ଥିର କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଓଡ଼ିଶା ବିଧାନସଭାର ବିଧାୟକ ମାନେ ସର୍ବସମ୍ମତି ମଧ୍ୟ ପ୍ରଦାନ କରିଥିଲେ। ତୃତୀୟ ପ୍ରସଙ୍ଗ ହେଉଛି, ବିଶେଷକରି ଓଡିଶାର କୃଷକ ମାନଙ୍କ ବିକାଶ ପାଇଁ ସ୍ବାମୀନାଥନ କମିଶନ ରିପୋର୍ଟର କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।

ଏହି ତିନୋଟି ସମସ୍ୟାର ସମାଧାନ ପାଇଁ ଭାରତ ସରକାରଙ୍କୁ ଫସଲ ବୀମା ରାଶି ଠିକ ସମୟରେ ଦେବାକୁ ପଡିବ। ଏହାକୁ କାର୍ଯ୍ୟକାରୀ ନକଲେ ଓଡ଼ିଶାର କୃଷକ ମାନେ ବହୁ ସମସ୍ୟାର ସମ୍ମୁଖୀନ ହେବେ। ଦ୍ୱିତୀୟତଃ ଭାରତ ସରକାରଙ୍କ ଦ୍ୱାରା ଧାନର ଏମଏସପିକୁ କୁଇଣ୍ଟାଲ ୨୯୩୦ ଟଙ୍କା ସ୍ଥିର କରିବାକୁ ପଡିବ। ଯାହା ଫଳରେ କୃଷକ ମାନେ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଇଁ ପାରିବେ। ଭାରତ ସରକାରଙ୍କ ଦ୍ୱାରା ସ୍ବାମୀନାଥନ କମିଶନ ରିପୋର୍ଟକୁ ଲାଗୁ କରିବା ସହିତ କୃଷକ ମାନଙ୍କୁ ସି-୨ ମୂଲ୍ୟର ଅତିକମରେ ଦେଢ଼ ଗୁଣ ଏମଏସପି ଦେବାକୁ ପଡିବ ବୋଲି ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି।

Leave A Reply

Your email address will not be published.