ଆଇପିଏସ୍ ସ୍ତରରେ ଅଦଳବଦଳ; ବି. ରାଧିକାଙ୍କୁ ମିଳିଲା ନୂଆ ଦାୟିତ୍ୱ

ଓଏଲ୍ ବ୍ୟୁରୋ: ଆଇପିଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର। କେନ୍ଦ୍ରୀୟ ଡେପୁଟେସନରୁ ଫେରି ନିଯୁକ୍ତି ଅପେକ୍ଷାରେ ଥିବା ୧୯୮୯ ବ୍ୟାଚ୍ ଆଇପିଏସ୍ ବି.ରାଧିକାଙ୍କୁ ଆଜି ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ବି. ରାଧିକାଙ୍କୁ ପୁଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବ ମିଳିଥିବା ବେଳେ ଏସଏଫଏସଆଇର ନିର୍ଦ୍ଦେଶକ ଭାବେ ମଧ୍ୟ ମିଳିଲା ଅତିରିକ୍ତ ଦାୟିତ୍ୱ। ଏନେଇ ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟ ସରକାରରେ ପାୱାରଫୁଲ ଆଇପିଏସ୍ ଭାବେ ଜଣାଶୁଣା ଆଶିଷ କୁମାର ସିଂ ଏବେ ସେଂଟ୍ରାଲ ରେଞ୍ଜ ଆଇଜି ଅଛନ୍ତି। ସେ ଅତିରିକ୍ତ ଭାବେ ରାଜ୍ୟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଉଛନ୍ତି। ଆଜି ସରକାର ପୁଣି ତାଙ୍କୁ ଓଡ଼ିଶା ରାଜ୍ୟ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ସେ ନିଜର ପୂର୍ବ ଦାୟିତ୍ୱ ସହ ଏହି ନୂଆ ଦାୟିତ୍ୱ ତୁଲାଇବେ। ଆଉ ସେ ସିଇଓ ଭାବେ ପୁଲିସ ହାଉସିଂ ୱେଲଫେୟାର କର୍ପୋରେସନର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ(ସିଏମଡି)ଙ୍କୁ ରିପୋର୍ଟ କରିବେ।
ସେହିପରି ଆଇପିଏସ୍ ଅଧିକାରୀ ସିନି ଏସ୍ ଲ ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ (ବିପିଏସପିଏ)ରେ ପ୍ରଶିକ୍ଷଣରେ ପୁଲିସ ମହାନିର୍ଦ୍ଦେଶକ (ଆଇଜିପି) ଭାବେ କାର୍ଯ୍ୟ କରୁଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ (ଆଇଜିପିସିଏଡବ୍ଲୁ) ଏବଂ ଶିଶୁ କଲ୍ୟାଣ (ସିଡବ୍ଲୁ) ପାଇଁ ଆଇଜିପିଙ୍କ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହି ପଦକ୍ଷେପ ରାଜ୍ୟ ପୁଲିସ ବାହିନୀ ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ସୁଦୃଢ଼ କରୁଛି।