କୋଟିଆରେ ବଢ଼ୁଛି ମ୍ୟାଲେରିଆ; ୧୦ ଶିଶୁ ଆକ୍ରାନ୍ତ

ଓଏଲ୍ ବ୍ୟୁରୋ: ରାଉରକେଲାରେ ହଇଜା ଆତଙ୍କ ପରେ ଏବେ କୋରାପୁଟ ଜିଲ୍ଲାରେ ବିସ୍ତାର କରୁଛି ମ୍ୟାଲେରିଆ। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍ କୋଟିଆ ଗ୍ରାମପୁଞ୍ଜରେ କାୟା ବିସ୍ତାର କରିବାରେ ଲାଗିଛି ମ୍ୟାଲେରିଆ। ଦିନକରେ ୧୦ ଜଣଙ୍କ ମ୍ୟାଲେରିଆ ରିପୋର୍ଟ ପଜିଟିଭ୍ ଆସିଛି। ସବୁଠୁ ବଡ଼କଥା ହେଲା ଆକ୍ରାନ୍ତ ହୋଇଥିବା ୧୦ ଜଣଙ୍କ ମଧ୍ୟରୁ ୬ ଜଣ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ।
ସେହିପରି ଫାଟୁସିନେରୀ ଓ ଫଗୁଣସିନେରୀରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସ୍ବାସ୍ଥ୍ୟ ଶିବିର ଆୟୋଜନ କରି ରକ୍ତ ନମୁନା ସଂଗ୍ରହ କରିଛି କୋଟିଆ ମେଡିକାଲ୍ ଟିମ୍। ଜଣେ ସୁପରଭାଇଜର୍, ଷ୍ଟାଫ୍ନର୍ସ ଓ ସହାୟକ ସ୍କ୍ରିନିଂ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଫାଟୁସିନେରୀରେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଟିମ୍ ସ୍କ୍ରିନିଂ ଜାରି ରଖିଛି।
ର୍ଷା ଦିନ ବଦଳରେ ଶୀତରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତାରେ ପଡ଼ିଛନ୍ତି ମେଡିକାଲ୍ ଟିମ୍। କୋଟିଆ ଗ୍ରାମପୁଞ୍ଜର ବିଭିନ୍ନ ଗ୍ରାମରେ ଜ୍ବର ଓ ମ୍ୟାଲେରିଆରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାର ସୁଯୋଗ ନେଇ ଗାଁରେ ମାତିଛନ୍ତି କ୍ବାକ୍। ଆନ୍ଧ୍ର ଓ ପଶ୍ଚିମବଙ୍ଗ ନମ୍ବର ଥିବା ଗାଡ଼ିରେ ୪ରୁ ୫ ଜଣ କ୍ବାକ୍ ବିଭିନ୍ନ ଗାଁରେ ପଇଁତରା ମାରୁଛନ୍ତି।