କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ତୁଣ୍ଡରେ ଓଡ଼ିଶାର ପ୍ରଶଂସା; କହିଲେ ଇ-କୋର୍ଟ କାମରେ ଓଡ଼ିଶା ଆଗରେ

ଓଏଲ୍ ବ୍ୟୁରୋ: ଆଜି ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ। ଏହି ଅବସରରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓଡ଼ିଶା ଆସିଛନ୍ତି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ମେଘୱାଲ ମନ୍ତବ୍ୟ ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ କହିଛନ୍ତି, ବେଞ୍ଚ ପାଇଁ ମୁଖ୍ୟମନ୍ତ୍ରୀ, ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସୁପାରିସ ଦରକାର। ଏମାନଙ୍କ ସୁପାରିସ ପରେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ସହମତି ଜରୁରୀ ରହିଛି।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଆହୁରି ମଧ୍ୟ କହିଛନ୍ତି, ସ୍ଥାୟୀ ବେଞ୍ଚରେ ଯାହା ହୋଇଥାନ୍ତା, ତାହା ଇ-କୋର୍ଟରେ ହୋଇପାରୁଛି। ଏଭଳି ସମୟରେ ସ୍ଥାୟୀ ବେଞ୍ଚ ଆଉ ମହତ୍ୱପୂର୍ଣ୍ଣ ହୋଇ ରହିନି ବୋଲି ଅର୍ଜୁନରାମ ମେଘୱାଲ କହିଛନ୍ତି। ଏବେ ବେଞ୍ଚ ଅପେକ୍ଷା ଆମେ ଇ-କୋର୍ଟକୁ ଅଧିକ ଗୁରୁତ୍ୱ ଦେଉଛୁ। ଇ-କୋର୍ଟ କାମରେ ଓଡ଼ିଶା ଅନ୍ୟ ଅପେକ୍ଷା ଭଲ କରୁଛି ବୋଲି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘୱାଲ ପ୍ରଶଂସା କରିଛନ୍ତି।