Odisha Link
Bridging the Missing Links in Odisha

ବନ୍ଦ ହୋଇଯିବ କଟକର ଡିଅର ପାର୍କ; ସ୍ଥାନାନ୍ତର ହେବେ ୨୯୦ରୁ ଅଧିକ ହରିଣ

ଓଏଲ୍‌ ବ୍ୟୁରୋ: ସ୍ମୃତି ହୋଇଯିବ କଟକ ଡିଅର ପାର୍କ। କଟକ ମହାନଗର ନିଗମ ଦ୍ଵାରା ପରିଚାଳିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳର ହରିଣ ପାର୍କ ଏବେ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତର ହେଉଛି। ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ନନ୍ଦନକାନନରୁ ଆସିଥିବା ୧୦ ଜଣିଆ ଅଭିଜ୍ଞ ଦଳ ଏହି କାର୍ଯ୍ୟରେ ଲାଗିଛନ୍ତି। ହରିଣଙ୍କ ସ୍ୱାସ୍ଥ ପରୀକ୍ଷା ପାଇଁ ଜଣେ ଡାକ୍ତର ମଧ୍ୟ ଅଛନ୍ତି। ହରିଣ ମାନଙ୍କୁ ନେବାକୁ ଖାଦ୍ୟ ଦିଆଯିବା ସହିତ ଏକ ତାରଘେରା ଗଳି ବାଟ କରାଯାଇଛି। ଖାଦ୍ୟ ଖାଇ ଖାଇ ସେମାନେ ରେସକ୍ୟୁ ଭ୍ୟାନକୁ ପ୍ରବେଶ କରୁଛନ୍ତି । ଗୋଟିଏ ଥରରେ ୧୩ ରୁ ୨୫ପର୍ଯ୍ୟନ୍ତ ହରିଣ ସ୍ଥାନାନ୍ତର ହେଉଛନ୍ତି।

ଖବର ଅନୁସାରେ, ବର୍ତ୍ତମାନ ପାର୍କରେ ପ୍ରାୟ ୨୪୦ରୁ ୨୫୦ ହରିଣ ଅଛନ୍ତି। ଚନ୍ଦକା ଅଭୟାରଣ୍ୟରେ ଏକ ସ୍ପେଶାଲ ଏକକ୍ଲୋଜରରେ ଛଡା ଯାଉଛି। ସେଠାରେ ଏକ ବିସ୍ତ୍ରିର୍ଣ୍ଣ ଅଞ୍ଚଳରେ ପାଣି ଓ ଖାଦ୍ୟ ବ୍ୟବସ୍ଥା କରାଯାଇଥିବା ସ୍ଥାନାନ୍ତର ଦାୟିତ୍ୱରେ ଥିବା ଏସିଏଫ ସିଟି ଫରେଷ୍ଟ ଡିଭିଜନ ଅଧିକାରୀ ସୂଚନା ଦେଇଛନ୍ତି। ଦୀର୍ଘ ବର୍ଷ ହେବ ସିଏମସି ଦ୍ଵାରା ଏହି ହରିଣ ପାର୍କଟି ପରିଚାଳିତ ହୋଇଆସୁଥିଲା। ତେବେ ସଂକୁଚିତ ସ୍ଥାନରେ ଏତେ ସଂଖ୍ୟାରେ ହରିଣଙ୍କ ରହଣି ନେଇ ଜୁ ଅଥରିଟି ଅଫ ଇଣ୍ଡିଆ କଟକଣା ଜାରି କରିବା ସହିତ ଲାଇସେନ୍ସଟି ବାତିଲ କରିଦେଇଥିଲେ।

ସକାଳୁ ରାତି ଯାଏ ତୁଳସୀପୁର ମହାନଦୀ କୂଳର ଏହି ହରିଣ ପାର୍କରେ ଲାଗୁଥିଲା ଲୋକଙ୍କ ଗହଳି। କଟକର ଅନ୍ୟତମ ପରିଚୟ ମଧ୍ୟ ଥିଲା ଏହି ଡିଅର ପାର୍କ। ତେବେ ସହରବାସୀଙ୍କ ନିବେଦନ, ଅନ୍ତତଃ କିଛି ହରିଣଙ୍କୁ ଏଠାରେ ରଖାଯାଉ। ଏନେଇ ମହାନଗର ନିଗମ କମିଶନର କହିଛନ୍ତି, ଡିଅରପାର୍କର ଲାଇସେନ୍ସ ରଦ୍ଦ ହୋଇଯାଇଛି। ଆଗକୁ ୬ ଲେନ ରାସ୍ତା ବି ନିର୍ମାଣ ହେବ। ଏଣୁ ଯାହା ଜାଗା ରହିବ ସେହି ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ବ୍ୟବସ୍ଥା କରାଯିବ। ସେପଟେ ସବୁ ହରିଣଙ୍କୁ ନ ନେଇ ପୁରୁଣା ଡିଅର ପାର୍କରେ କିଛି ହରିଣଙ୍କୁ ରଖିବାକୁ ସହରବାସୀ ଦାବି କରିଛନ୍ତି।

Leave A Reply

Your email address will not be published.