ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ପ୍ରସ୍ତୁତି: ସିସିଟିଭି ବଳୟରେ ରହିବ ପୁରୀ ସହର

ଓଏଲ୍ ବ୍ୟୁରୋ: ଆଗାମୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ହେବ। ସମାରୋହରେ ସାମିଲ ହେବା ପାଇଁ ଲକ୍ଷାଧିକ ସାଧୁ ସନ୍ଥ, ଶ୍ରଦ୍ଧାଳୁ ପୁରୀ ଆସିବେ। ଲୋକାର୍ପଣ ଉତ୍ସବ କିପରି ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଆୟୋଜିତ ହେବ, ସେନେଇ ପୁରୀ ସର୍କିଟ ହାଉସରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମୀକ୍ଷା କରୁଛନ୍ତି। ୧୧ ସୁଦ୍ଧା ଶ୍ରୀମନ୍ଦିର ପ୍ରଶାସନକୁ କରିଡର ହସ୍ତାନ୍ତର ହେବ। ୧୪ ସୁଦ୍ଧା ପୁଲିସ ପ୍ରଶାସନକୁ କରିଡର ହସ୍ତାନ୍ତର ହେବ।
ନିମନ୍ତ୍ରିତ ଅତିଥିଙ୍କ କଥା ବୁଝିବେ ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲିଠୁ ବିଭିନ୍ନ ପଞ୍ଚାୟତରେ ଗଡ଼ିବ ଜଗନ୍ନାଥ ରଥ, ଗୁଆ ଚାଉଳ ସଂଗ୍ରହ ହେବ। ୧୭ ପରେ ପର୍ଯ୍ୟାୟ କ୍ରମେ ବିଭିନ୍ନ ଅଞ୍ଚଳରୁ ଲୋକେ ଆସିବେ। ପୁରୀକୁ ବ୍ଲାକେଟ୍ ସିକ୍ୟୁରିଟିରେ ରଖାଯିବ। ଭିଭିଆଇପି ଓ ସାଧାରଣ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ସିସିଟିଭି ବଳୟରେ ପୁରୀ ସହର ରହିବ। ଟ୍ରାଫିକ ପରିଚାଳନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ।
ରାଜ୍ୟ ତଥା ଦେଶର ବିଭିନ୍ନ ମନ୍ଦିରରୁ ସାଧୁ ସନ୍ଥ ଶ୍ରୀକ୍ଷେତ୍ର ଆସିବେ। ଭବ୍ୟ ଲୋକାର୍ପଣ ଉତ୍ସବ କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ସମାଗମକୁ ନଜରରେ ରଖି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସମସ୍ତ ଆୟୋଜନ ନେଇ ବୈଠକରେ ସମୀକ୍ଷା କରୁଛନ୍ତି ମୁଖ୍ୟ ଶାସନ ସଚିବ। ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି ମାଥ୍ୟୁ ଭାଥାନନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ୍, ଅତିରିକ୍ତ ଡିଜିପି ସଂଜୟ କୁମାରଙ୍କ ସହ ବହୁ ବରିଷ୍ଠ ଅଧିକାରୀ ବୈଠକରେ ଯୋଗ ଦେଇଛନ୍ତି।