ଉପାନ୍ତରେ ବିକାଶର ନୂଆ ଅଧ୍ୟାୟ; ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର

ଓଏଲ୍ ବ୍ୟୁରୋ: ବିକାଶର ନୂଆ ଅଧ୍ୟାୟ ଲେଖିବାକୁ ଯାଉଛି ମାଲକାନଗିରି। ଆସନ୍ତାକାଲି ଲୋକାର୍ପିତ ହେବ ମାଲକାନଗିରି ବିମାନ ବନ୍ଦର। ଗତକାଲି ବିଧିିବଦ୍ଧ ଭାବେ ମାଲକାନଗିରି ବିମାନ ବନ୍ଦରରୁ ପରୀକ୍ଷାମୂଳକ ଭାବେ ଉଡାଣ ଆରମ୍ଭ ହୋଇଥିଲା। ଆସନ୍ତାକାଲି ମାଲକାନଗିରି ବିମାନ ବନ୍ଦର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହେବାର କାର୍ଯ୍ୟକ୍ରମ ରହିଛି।
ସୂଚନା ଥାଉକି, ମାଲକାନଗିରି ସହର ଉପକଣ୍ଠରେ ନିର୍ମାଣ ହୋଇ ଥିବା ବିମାନବନ୍ଦରର ରନୱେ କାମ ଶେଷ ହେବା ପରେ ରନେଓର ଟ୍ରାଏଲ ରନ ଶେଷ ହୋଇଛି। ପ୍ରଥମଥର କରି ବି-ଟୁ ୧୦୦ ଜିଟି ବିମାନ ମାଲକାନଗିରି ଆକାଶରେ ଉଡିବା ଦେଖି ଜିଲ୍ଲା ବାସୀ ବେଶ ଉତ୍ସାହିତ ହେବା ସହ ଖୁବ ଶିଘ୍ର ଯାତ୍ରୀ ବାହି ବିମାନ ଉଡିବା ନେଇ ଆଶା ବାନ୍ଧିଛନ୍ତି ଜିଲ୍ଲାବାସୀ। ତେବେ ଆଗାମି ୯ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ବିମାନ ବନ୍ଦରକୁ ଉଦଘାଟନ କରିବେ। ଆଗକୁ ସମ୍ପ୍ରସାରଣ ହେଲେ ଏୟାରବସ ଏ-୩୨୦ ଓ ବୋଇଙ୍ଗ- ୭୩୭ ମଧ୍ୟ ଅବତରଣ କରିବା ସମ୍ଭବ ବୋଲି ଜଣା ପଡିଛି।
ମାଲକାନଗିରି ବିମାନ ବନ୍ଦରର ଲମ୍ବ ୧୬୨୦ ମିଟର। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୨୩୪ ଏକର ଜମି ଯୋଗାଇଦେଇଛନ୍ତି। ଅକ୍ଟୋବର ୨୦୨୨ରେ ୩୦ କୋଟି ମୂଲ୍ୟରେ ଏହି ବିମାନ ବନ୍ଦର ନିର୍ମାଣ କାମ ଆରମ୍ଭ ହୋଇ ଥିବାବେଳେ ନିର୍ଧାରିତ ସମୟ ସୀମାରେ ଏହାର ନିର୍ମାଣ କାମ ଶେଷ ହୋଇଛି। ଜାନୁଆରୀ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ।