ନିର୍ବାଚନ କମିଟି ଗଢ଼ିଲା ଓଡ଼ିଶା କଂଗ୍ରେସ, ତାଲିକାରୁ ବାଦ ପଡ଼ିଲେ ଚର୍ଚ୍ଚିତ ନେତା

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କଲା ଓଡ଼ିଶା କଂଗ୍ରେସ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଓଡ଼ିଶା ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ଘୋଷଣା କରିଛି। କମିଟିର ଅଧ୍ୟକ୍ଷ ଭାବେ ପିସିସି ସଭାପତି ଶରତ ପଟ୍ଟନାୟକ ରହିଥିବାବେଳେ ଦଳର ବରିଷ୍ଠ ନେତାଙ୍କ ସମେତ ଯୁବ ଓ ମହିଳା ଚେହେରାଙ୍କୁ ବି ସ୍ଥାନ ମିଳିଛି। ନିର୍ବାଚନ କମିଟିରେ ୪ଜଣ ଦଳୀୟ ନେତ୍ରୀଙ୍କୁ କଂଗ୍ରେସ ସାମିଲ କରିଛି।
ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟିରେ କଂଗ୍ରେସର ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନଙ୍କ ସମେତ ପିସିସି ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ସାଂସଦ ସପ୍ତଗିରି ଶଙ୍କର ଉଲାକା, ଭକ୍ତଚରଣ ଦାସ, ଅନନ୍ତ ପ୍ରସାଦ ସେଠୀ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ରାଉତ, ସନ୍ତୋଷ ସିଂ ସାଲୁଜା, ବିଶ୍ୱରଞ୍ଜନ ମହାନ୍ତି, ମାନସ ରଞ୍ଜନ ଚୌଧୁରୀ,ଶୁଭେନ୍ଦୁ ମହାନ୍ତି ଏବଂ ସୁଶୀଳା ତିରିଆ, ଅଜୟନ୍ତୀ ପ୍ରଧାନ, ସସ୍ମିତା ବେହେରା, ଅନୀତା ବିଶ୍ୱାଳ ରହିଛନ୍ତି।
ଅପରପକ୍ଷେ କଂଗ୍ରେସ ଇତିମଧ୍ୟରେ ୭୦ଜଣ ନେତାଙ୍କୁ ଟିକେଟ୍ ଦେବ ବୋଲି ଚୂଡ଼ାନ୍ତ କରିଥିବା ଦଳର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ଗତ ୩ଦିନ ତଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ତେବେ ତାରାଙ୍କୁ ଏହି ନିର୍ବାଚନ କମିଟିରେ ସ୍ଥାନ ମିଳିନି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
୧୯ଜଣଙ୍କ ବ୍ୟତୀତ ଦଳର ସମସ୍ତ ଛାମୁଆ ସଂଗଠନର ସଭାପତିମାନେ ମଧ୍ୟ ଏକ୍ସଅଫିସୋ ମେମ୍ବର ରହିବେ। ଏଆଇସିସି ଅଧ୍ୟକ୍ଷଙ୍କ ଅନୁମୋଦନ ପରେ ଏଆଇସିସି ସାଧାରଣ ସମ୍ପାଦକ ଭେନୁଗୋପାଳଙ୍କ ପକ୍ଷରୁ ଏହି ତାଲିକା ଜାରି ହୋଇଛି। ଏବେ ଏହି କମିଟି ବିଭିନ୍ନ ନିର୍ବାଚନମଣ୍ଡଳୀର ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରି ଏଆଇସିସିକୁ ସୁପାରିଶ କରିବ ବୋଲି ଜଣାପଡ଼ିଛି।