ସଜେଇ ହେଉଛି ଶ୍ରୀକ୍ଷେତ୍ର; ପରିକ୍ରମା ପ୍ରକଳ୍ପ ଉତ୍ସବ ଲାଗି ଆଜି ସନ୍ଧ୍ୟାରୁ କାର୍ଯ୍ୟକ୍ରମ
ଓଏଲ୍ ବ୍ୟୁରୋ: ରୂପାନ୍ତରଣର ସ୍ପର୍ଶରେ ସଜେଇ ହେଉଛି ଶ୍ରୀକ୍ଷେତ୍ର। ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ଆଉ ସୁରକ୍ଷା ଦୃଷ୍ଟିରୁ ୧୪ତାରିଖରୁ ସମ୍ପୂର୍ଣ୍ଣ ଅଂଚଳକୁ ପୁରୀ ପୁଲିସ ନିଜ ନିୟନ୍ତ୍ରଣକୁ ନେବ। ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଲାଗି ଆଜିଠୁ ଆରମ୍ଭ ହେବ କାର୍ଯ୍ୟକ୍ରମ। ଆଜି ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ଶ୍ରୀନଅର ଠାରେ ଗଜପତି ମହାରାଜା ଆଚାର୍ଯ୍ୟ ବରଣ କରିବେ।
ପୁରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ପରିଚାଳନା କମିଟି ମିଟିଂ ପରେ ସୂଚନା ଦେଲେ ମୁଖ୍ୟ ପ୍ରଶାସକ। ଦିନ ୧ଟା ୧୫ରୁ ୧ଟା ୩୦ ମଧ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ୧ଟା ୩୦ରୁ ୨ଟା ମଧ୍ୟରେ ଯଜ୍ଞ ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା। ଦିନ ୨ଟାରୁ ୨ଟା ୩୦ ମଧ୍ୟରେ ମୁଖ୍ୟମନ୍ତ୍ରୀ ପରିକ୍ରମା ପ୍ରଦକ୍ଷଣ କରିବେ। ଦିନ ୨ଟା ୩୦ରୁ ୩ଟା ମଧ୍ୟରେ ସଭାସ୍ଥଳରେ ଛୋଟ କାର୍ଯ୍ୟକ୍ରମ। ଦିନ ୩ଟା ପରେ ସର୍ବସାଧାରଣ ପରିକ୍ରମା ମାର୍ଗକୁ ଯାଇପାରିବେ। ନିର୍ମାଣ କାର୍ଯ୍ୟ ଆଜି ରାତି ସୁଦ୍ଧା ଶେଷ ହୋଇଯିବ। କାଲି ସକାଳ ସୁଦ୍ଧା ଏହାକୁ ସେମାନେ ହସ୍ତାନ୍ତର କରିବେ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।