Odisha Link
Bridging the Missing Links in Odisha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ; ଏବେଠୁ ଅଯୋଧ୍ୟାକୁ ଛୁଟିଲାଣି ରାମଭକ୍ତଙ୍କ ସୁଅ

ଓଏଲ୍‌ ବ୍ୟୁରୋ: ଆଉ ମାତ୍ର ଅଳ୍ପ ଦିନର ଅପେକ୍ଷା, ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟା ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲା। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏବେଠୁ ଅଯୋଧ୍ୟାକୁ ରାମଭକ୍ତଙ୍କ ସୁଅ ଛୁଟିଲାଣି। ରାମଲାଲାଙ୍କ ପାଇଁ କୋଣ ଅନୁକୋଣରୁ ଆସୁଛି ଉପହାର। ଶ୍ରୀରାମଙ୍କ ପାଇଁ ଆସିଛି ଧୂପ, ଦୀପ, ଅତର। ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସୁନା ଫଏଲରେ ତିଆରି ନାଗଡ଼ା ପହଞ୍ଚିଲା। ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଏଥିପାଇଁ ଏକ ବିଶାଳ ଯଜ୍ଞ ମଣ୍ଡପ ତିଆରି ହୋଇଛି। ଏଠାରେ ଅହୋରାତ୍ର ଯଜ୍ଞ ଚାଲିବ।

ଅଯୋଧ୍ୟା ଶ୍ରୀରାମ ମନ୍ଦିର ସମ୍ମୁଖରେ ଗରୁଡ଼-ହନୁମାନ-ଗଜ ଏବଂ ସିଂହଙ୍କ ପ୍ରତିମା ସ୍ଥାପନ ହୋଇଛି। ଏହି ପ୍ରତିମାଗୁଡ଼ିକୁ ରାଜସ୍ଥାନର ବଂଶୀ ପାହାଡ଼ପୁରର ଗୋଲାପି ରଙ୍ଗର ଏକ ସ୍ୱତନ୍ତ୍ର ପଥରରେ ତିଆରି କରାଯାଇଛି। ପୌଷମାସ ଦ୍ୱାଦଶୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମସ୍ଥାନରେ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ କରାଯିବ।

ଅନ୍ୟପଟେ, ଅଯୋଧ୍ୟାରେ ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ। ପ୍ରସିଦ୍ଧ ମୂର୍ତ୍ତିକାର ଯୋଗୀରାଜ ଅରୁଣଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତି ଚୂଡ଼ାନ୍ତ। ପ୍ରଭୁ ରାମଙ୍କ ୩ଟି ମୂର୍ତ୍ତି ମଧ୍ୟରୁ ଗୋଟିଏ ମୂର୍ତ୍ତି ଚୂଡ଼ାନ୍ତ ହେଲା। ଏନେଇ ଟ୍ୱିଟ୍ କରି କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ୨୦୨୪ ଜାନୁଆରୀ ୨୨ ତାରିଖରେ ପ୍ରତିଷ୍ଠା ହେବ ଉତ୍ତରପ୍ରଦେଶରେ ନିର୍ମିତ ହେଉଥିବା ଭବ୍ୟ ଶ୍ରୀରାମ ମନ୍ଦିର। ଏହାରି ଭିତରେ ଶିଳ୍ପୀମାନେ ମଧ୍ୟ ନିର୍ମାଣ କାମ ବେଶ ଧୁମ୍ ଧାମରେ କରୁଛନ୍ତି।

ରାମଜନ୍ମଭୂମିରେ ରାମଲଲ୍ଲାଙ୍କ ଦର୍ଶନ ପାଇଁ ଆସିବେ ଭକ୍ତ। ଭକ୍ତଙ୍କ ରହିବା, ଖାଇବାର ସୁବିଧା ପାଇଁ ଆରମ୍ଭ ହୋଇଗଲାଣି ଟେଣ୍ଟ୍ ବ୍ୟବସ୍ଥା। ଏକାଥରରେ ୧୫ ରୁ ୨୦ ହଜାର ଭକ୍ତ ୩ଟି ସ୍ଥାନରେ ରହିବାର ସୁବିଧା ପାଇବା ପାଇଁ ବ୍ୟବସ୍ତା କରାଯାଉଛି। ଲେଜର ଲାଇଟ ଶୋ’ରେ ଝଲସୁଛି ସରଜୁ କୁଣ୍ତ। ରାମଲାଲାଙ୍କର ଆଗମନକୁ ସମସ୍ତେ ପ୍ରତୀକ୍ଷା କରିଛନ୍ତି।

Leave A Reply

Your email address will not be published.