ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ପ୍ରତ୍ୟାଖ୍ୟାନ କଲେ ୪ ଶଙ୍କରାଚାର୍ଯ୍ୟ

ଓଏଲ୍ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ସମସ୍ତ ୪ ଶଙ୍କରାଚାର୍ଯ୍ୟ ଅଯୋଧ୍ୟାରେ ଜାନୁଆରୀ ୨୨ ତାରିଖରେ ହେବାକୁ ଥିବା ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ସମାରୋହରେ ସାମିଲ ହେବେ ନାହିଁ। ହିନ୍ଦୁଧର୍ମର ୪ ଧାମ ପୁରୀ ଗୋବର୍ଦ୍ଧନ ପୀଠ, ଜ୍ୟୋତିର୍ମଠ, ଦ୍ୱାରକା ଏବଂ ଶ୍ରୀଙ୍ଗେରୀର ଶଙ୍କରାଚାର୍ଯ୍ୟ ପ୍ରାଣପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ସନାତନ ଧର୍ମ ନିୟମାବଳୀର ଉଲ୍ଲଂଘନ କରାଯାଇ ଉତ୍ସବ ପାଳନ କରାଯାଉଥିବା ସେମାନେ ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ୪ଜଣରୁ ଦୁଇ ଜଣ ଶଙ୍କରାଚାର୍ଯ୍ୟ ପ୍ରାଣ ପ୍ରତିଷ୍ଠା ସମାରୋହକୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ହେଲେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବର ମୁଖ୍ୟ ଆୟୋଜକ ହୋଇଥିବାରୁ ମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବର ଉଦ୍ଦେଶ୍ୟକୁ ନେଇ ବରିଷ୍ଠ ସନ୍ଥମାନେ ଚିନ୍ତାବ୍ୟକ୍ତ କରିଛନ୍ତି। ମୋଦିଙ୍କୁ ଆଗରେ ରଖି ସନାତନ ଶାସ୍ତ୍ରର ପାରମ୍ପରିକ ରୀତିନୀତିକୁ ଅଣଦେଖା କରାଯାଉଥିବା ସେମାନେ କହିଛନ୍ତି। ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବକୁ ୧୦ ଦିନ ବାକିଥିବାବେଳେ ଅନେକ ହିନ୍ଦୁ ସନ୍ଥ ଉକ୍ତ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଓଡ଼ିଶାର ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ଉତ୍ସବରେ ଯୋଗଦେବେ ନାହିଁ ବୋଲି ଗତ ସପ୍ତାହରେ କହିଥିଲେ। ଶାସ୍ତ୍ରୀୟ ବିଧି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତି ମନ୍ଦିରରେ ସ୍ଥାପନ କରାଯିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ସେ ଭଗବାନ ରାମଙ୍କ ପ୍ରତି ସମ୍ମାନ ବଜାୟ ରଖିବା ଉପରେ ଚିନ୍ତାବ୍ୟକ୍ତ କରିବା ସହ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରାଯିବା ଆବଶ୍ୟକ ବୋଲି କହିଥିଲେ। ପ୍ରାଣପ୍ରତିଷ୍ଠା ଉତ୍ସବକୁ ରାଜନୈତିକ ରଙ୍ଗ ଦିଆଯାଉଥିବାରୁ ସେ ନ ଯିବା ପାଇଁ ନୀତିଗତ ଭାବେ ନିଷ୍ପତ୍ତି ନେଇଥିବା ପୂର୍ବରୁ ସ୍ପଷ୍ଟ କରିଛନ୍ତି।
ସେହିପରି ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ବାମୀ ଅଭିମୁକ୍ତେଶ୍ୱରାନନ୍ଦ ଭିନ୍ନ ଆଭିମୁଖ୍ୟ ପ୍ରକାଶ କରିବା ସହ ଜାନୁଆରୀ ୨୨ରେ ରାମମନ୍ଦିର ଯିବେ ନାହିଁ ବୋଲି କହିଛନ୍ତି। ମନ୍ଦିର ନିର୍ମାଣ ସନାତନ ଧର୍ମ ପାଇଁ ବିଜୟର ସୂଚନା ଦେଉନାହିଁ। ପୂର୍ବରୁ ଅଯୋଧ୍ୟାରେ ରାମମନ୍ଦିର ଥିଲା। ତେଣୁ ଏହାର ନିର୍ମାଣ ଧର୍ମ ପାଇଁ ଏକ ଉପହାର କିମ୍ବା ବିଜୟ ଉତ୍ସବ ନୁହେଁ। ରାଜନୈତିକ ପ୍ରତିବନ୍ଧକ ଯୋଗୁ ରାଜନେତାମାନେ ସେଦିନ ଅଯୋଧ୍ୟା ଯାଉ ନାହାନ୍ତି। ତେବେ ତାଙ୍କ ଯିବାରେ କୌଣସି ପ୍ରତିବନ୍ଧକ ନ ଥିବା ଅଭିମୁକ୍ତେଶ୍ୱରାନନ୍ଦ କହିଛନ୍ତି। ଦେଶରୁ ଯେଉଁଦିନ ଗୋହତ୍ୟା ବନ୍ଦ ହେବ, ସେଦିନ ସେ ଅଯୋଧ୍ୟା ରାମମନ୍ଦିର ଯାଇ ଉତ୍ସାହର ସହ ପୂଜାର୍ଚ୍ଚନା କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ମନ୍ଦିର ପ୍ରାଣପ୍ରତିଷ୍ଠାର ସପ୍ତାହେ ପୂର୍ବରୁ ଅର୍ଥାତ୍ ୧୬ ତାରିଖରୁ ବୈଦିକ ରୀତିନୀତି ଅନୁଷ୍ଠିତ ହେବ। ବାରାଣସୀର ପୂଜକ ଲକ୍ଷ୍ମୀକାନ୍ତ ଦୀକ୍ଷିତ ୨୨ ତାରିଖର ପ୍ରାଣପ୍ରତିଷ୍ଠା ଉତ୍ସବର ମୁଖ୍ୟ ରୀତିନୀତି ସମ୍ପନ୍ନ କରିବେ। ସେଦିନ ମନ୍ଦିରରେ ମୂର୍ତ୍ତି ସ୍ଥାପନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ।