ରାଜ୍ୟରେ ଶୀତର ଲହରୀ; ମୟୁରଭଞ୍ଜରେ ଜିରୋ ଡିଗ୍ରୀକୁ ଖସିଲା ପାରଦ

ଓଏଲ୍ ବ୍ୟୁରୋ: ରାଜ୍ୟରେ ଶୀତର ଲହରୀ। କିଛି ଅଂଚଳରେ ସକାଳୁ ସକାଳୁ ଘରୁ ବାହାରିବା ହୋଇପଡ଼ୁଥିଲା ମୁସ୍କିଲ। ଶୀତରେ ଥରୁଛି ମୟୁରଭଞ୍ଜ। ଆଜି ସର୍ବନିମ୍ନ ତାପମାତ୍ରା ଜିରୋ ଡିଗ୍ରୀ ରେକର୍ଡ କରାଯାଇଛି। ଶିମିଳିପାଳର ଉପର ବାରାକାମୁଡାରେ ତାପମାତ୍ରା ୦ ଡିଗ୍ରୀ ରହିଛି। ଚାହଲାରେ ୫ ଡିଗ୍ରୀ, ଯଶିପୁରରେ ୧୩ ଡିଗ୍ରୀ ରେକର୍ଡ ହୋଇଛି।
ଅନ୍ୟପଟେ, ଭାରତରେ ଘନ କୁହୁଡ଼ି ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନକୁହୁଡିର ଆସ୍ତରଣ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ପ୍ରବଳ ଶୀତ ସହ ଘନକୁହୁଡି ଯୋଗୁ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଆଉ ୪ରୁ ୫ ଦିନ ଘନ କୁହୁଡ଼ି ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ସମଗ୍ର ଉତ୍ତର ଭାରତରେ ଏପରି ପାଗ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଦିଲ୍ଲୀ ଓ କୋଲକାତା ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ ହୋଇଛି। ଯାତ୍ରୀଙ୍କୁ ଯୋଗାଯୋଗରେ ରହିବାକୁ ବିମାନ ସେବା ସଂସ୍ଥା ପକ୍ଷରୁ ପରାମର୍ଶ ଦିଆଯାଇଛି। ଦୃଶ୍ୟମାନ ଦୂରତା କମ ଥିବାରୁ ଦିଲ୍ଲୀ ବିମାନ ବନ୍ଦରରୁ ବିମାନକୁ ବାତିଲ କରାଯାଇଥିବା ବେଳେ ଅନ୍ୟ ବିମାନ ବିଳମ୍ବିତ ରହିଛି। ହଜାର ହଜାର ସଂଖ୍ୟାରେ ଯାତ୍ରୀ ବିମାନ ବନ୍ଦରରେ ଅପେକ୍ଷାରତ ରହିଛନ୍ତି। ସେପଟେ ବିଳମ୍ବରେ ଚାଲୁଛି ଦିଲ୍ଲୀ ଯାଉଥିବା ୧୮ ଟ୍ରେନ୍। ଯାହା ଫଳରେ ଯାତ୍ରୀ ହନ୍ତସନ୍ତ ହେଉଥିବା ଘଟଣା ସାମ୍ନାକୁ ଆସିଛି।