ରତ୍ନଭଣ୍ଡାର ଚାବି ହଜିବା ଘଟଣା; ରିପୋର୍ଟ ମାଗିଲେ ହାଇକୋର୍ଟ

ଓଏଲ୍ ବ୍ୟୁରୋ: ଆଜି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଆସିଛି ବଡ଼ ଖବର। ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ତଦନ୍ତ କମିସନ ରିପୋର୍ଟକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି। ରିପୋର୍ଟ ସାର୍ବଜନୀନ ପାଇଁ ସରକାରଙ୍କ ଆଭିମୁଖ୍ୟ ନେଇ ଆସନ୍ତା ଦୁଇ ଦିନ ମଧ୍ୟରେ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ। ଆସନ୍ତା ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଥାଉକି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟବ୍ୟାପି ହଇଚଇ ସୃଷ୍ଟି ହୋଇଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଗଠନ ହୋହଲ୍ଲା କରିଥିଲେ। ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗୁରୁତ୍ବ ଦେଇ ଜଷ୍ଟିସ ରଘୁବୀର ଦାସଙ୍କୁ ନେଇ ଏକ ତଦନ୍ତ କମିସନ ଗଠନ କରିଥିଲେ।କମିସନ ନିଜର ତଦନ୍ତ ଶେଷ କରି ୨୦୧୮ ନଭେମ୍ବର ୨୯ରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। କିନ୍ତୁ ତାହା ଏବେ ଯାଏ ବି ସାର୍ବଜନୀନ କରାଯାଇନାହିଁ।