Odisha Link
Bridging the Missing Links in Odisha

ଆଜି ଶ୍ରୀକ୍ଷେତ୍ରରେ ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’

ଓଏଲ୍‌ ବ୍ୟୁରୋ: ଆଜି ପୁରୀରେ ମଞ୍ଚସ୍ଥ ହେବ ଐତିହାସିକ ନାଟକ ‘ଆହେ ନୀଳଶଇଳ’। ରାଜଧାନୀ ଭୁବନେଶ୍ବର, ବେଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ପରିବେଷିତ ହୋଇ ଓଡ଼ିଆ ମଞ୍ଚନାଟକ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିବା ଏତିହାସିକ ନାଟକ ‘ଆହେ ନୀଳଶଇଳ’ ଆଜି ପୁରୀରେ ପ୍ରଦର୍ଶିତ ହେବ। ଶ୍ରୀଜଗନ୍ନାଥଙ୍କ ମହାପର୍ବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ସଂଧ୍ୟା ୬.୩୦ରେ ଅଭିନୀତ ହେବ। ଗୁଣ୍ଡିଚା‌ ମନ୍ଦିର ନାକଚଣା ଦ୍ବାର ସମ୍ମୁଖ ଶରଧାବାଲିରେ ଏହି ନାଟକ ପ୍ରଦର୍ଶିତ ହେବ। ଏହି ନାଟକ ଦେଖିବା ଲାଗି ଦର୍ଶକଙ୍କୁ କୌଣସି ପ୍ରବେଶ ଦେୟ ପଡ଼ିବ ନାହିଁ।

ରାଜ୍ୟରେ ଓ ରାଜ୍ୟ ବାହାରେ ‘ଆହେ ନୀଳଶଇଳ’ର ୨୧ଟି ସୋ’ ଅନୁଷ୍ଠିତ ହୋଇ ସାରିଥିଲେ ହେଁ ପୁଣିଥରେ ନାଟକ ଦେଖିବା ଲାଗି ଦର୍ଶକଙ୍କ ଆଗ୍ରହ ଓ ଉତ୍କଣ୍ଠା ଅତୁଟ ରହିଛି। ଅଷ୍ଟାଦଶ ଶତାବ୍ଦୀ ଓଡ଼ିଶା ଇତିହାସର ଏକ ଅନନ୍ୟ ଅଧ୍ୟାୟକୁ ନେଇ ଏହି ନାଟକ ରଚନା କରିଛନ୍ତି ବିଶିଷ୍ଟ ନାଟ୍ୟକାର ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନାରେ ଅଛନ୍ତି ମଞ୍ଚ ଓ ଯାତ୍ରା ଦୁନିଆର ସଫଳ ନିର୍ଦ୍ଦେଶକ ଲାଲା ବୀରେନ୍ ରାୟ। ଏଥିରେ ଓଡ଼ିଆ ସିନେମା ଓ ଛୋଟ ପରଦାର ଅନେକ ଜଣାଶୁଣା କଳାକାର ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ଲରେନ୍ସ ଗଜପତି ରାମଚନ୍ଦ୍ର ଦେବ, ସୋଫିଆ ଆଲମ୍ ମହାରାଣୀ, ପ୍ରକାଶ ଜେନା ତକୀ ଖାଁ, ରାଜେନ୍ଦ୍ର ସ୍ବାଇଁ ବକ୍ସି, ଶ୍ରଦ୍ଧା ପାଣିଗ୍ରାହୀ ରେଜିଆ ଓ ମନୀଷା ରଥ ସରଦେଈ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି।

Leave A Reply

Your email address will not be published.