ଅଯୋଧ୍ୟା ରାମ ମନ୍ଦିର ଉଦଘାଟନକୁ ଯିିବେନି ବିରୋଧୀ, ତାହାଲେ କରିବେ କ’ଣ?
![](https://www.odishalink.com/wp-content/uploads/2024/01/ram-4-750x430.jpg)
ଓଏଲ୍ ବ୍ୟୁରୋ: ୫୦୦ ବର୍ଷର ପ୍ରତୀକ୍ଷାରେ ଅନ୍ତ ଘଟିବ। ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରର ହେବ ଶୁଭ ଉଦଘାଟନ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଖିବ ସାରା ଜଗତ। ହି ସମାରୋହରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପ୍ରାୟ ୬ ହଜାର ଲୋକେ ଉପସ୍ଥିତ ରହିବେ। ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସରକାର ଜୋରଦାର କାର୍ଯ୍ୟ କରୁଛନ୍ତି। ହେଲେ ଏହି କାର୍ଯ୍ୟକ୍ରମକୁ ବୟକଟ୍ କରିଛନ୍ତି ସମସ୍ତ ବିରୋଧୀ। ତେବ ରାମ ମନ୍ଦିର ଉଦ୍ଘାଟନ ଦିନ ଏ ସମସ୍ତ ବିରୋଧୀ ଦଳ ନେତା କ’ଣ କରିବେ ଓ କେଉଁଆଡେ ଯିବେ। ଯାହାକୁ ନେଇ ଲାଗି ରହିଛି ଚର୍ଚ୍ଚା।
ଏସବୁ ମଧ୍ୟରେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ୨୨ ତାରିଖ ଦିନ କାଲି ଘାଟରେ ପୂଜାର୍ଚ୍ଚାନା କରି ଏକ ବଡ଼ ରାଲି ବାହାର କରିବେ। ସେହିପରି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯିବେ ନାହିଁ। ସେ ୨୨ ତାରିଖ ଦିନ ନାସିକର କାଲାରାମ ମନ୍ଦିରରେ ମହା ଆଳତି କରିବେ। ଏହି ମହାଆଳତି ପାଇଁ ଉଦ୍ଧବ ଠାକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି।
ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବେ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ବ୍ୟସ୍ତ ଅଛନ୍ତି। ସେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ଆସାମରେ ଥିବେ। ତେଣୁ ସେ ସେଠାକାର ଏକ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବାକୁ ଯୋଜନା ରଖିଥିବା କୁହାଯାଉଛି।
ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଓ ଏନ୍ସିପି ମୁଖ୍ୟ ଶରଦ ପଓ୍ୱାର ସମାନ କଥା କହିଛନ୍ତି। ଦୁଇ ନେତା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବା ପରେ ଓ ରାମ ମନ୍ଦିର ନିର୍ମାଣ କାମ ପୂରା ହେବା ପରେ ଅନ୍ୟ କେଉଁଦିନ ସମୟ ବାହାର କରି ରାମଲଲାଙ୍କ ଦର୍ଶନ କରିବାକୁ ଯିବେ ବୋଲି କହିଛନ୍ତି।
ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଏଯାଏ ରାମ ମନ୍ଦିର ଉଦ୍ଘାଟନ ପାଇଁ ଆମନ୍ତ୍ରିତ କରାଯାଇ ନାହିଁ। କିନ୍ତୁ ସେ ୨୨ ତାରିଖ ଦିନ ଦିଲ୍ଲୀରେ ସୁନ୍ଦରକାଣ୍ଡ ଓ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଛନ୍ତି। ସେହିପରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଯୋଧ୍ୟ ଯିବେ ନା ନାଇଁ ସେନେଇ କିଛି ବି ସ୍ପଷ୍ଟୀକରଣ ଆସିନାହିଁ।