ଅର୍ପଣ ଚାଉଳ ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ; ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ
ଓଏଲ୍ ବ୍ୟୁରୋ: ଐତିହ୍ୟରେ ଯୋଡ଼ିହେଲା ନୂଆ ଫର୍ଦ୍ଦ। ରୂପାନ୍ତରଣର ସ୍ପର୍ଶରେ ସଜେଇ ହୋଇଛି ପୁରୀ ବଡଦାଣ୍ଡ। ଲୋକାର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଉତ୍ସବ ମୁଖର ଜଗନ୍ନାଥ ଧାମ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉତ୍ସବ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପରିକ୍ରମା ରଥ ବୁଲିଥିଲା। ଏଥିରେ ସମସ୍ତ ବ୍ୟକ୍ତି ସ୍ୱଇଚ୍ଛାରେ ଗୁଆ ଚାଉଳ ଅର୍ପଣ କରିଥିଲେ। ତେବେ ଏଇ ଗୁଆ ଚାଉଳ କେଉଁ କାମରେ ଲାଗିବ ଅନେକ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ଏଇ ଦ୍ଵନ୍ଦ୍ଵରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି।
ତେବେ ମହାପ୍ରଭୁଙ୍କ କାର୍ଯ୍ୟରେ ଲାଗିବ ଅର୍ପଣ ଗୁଆ ଚାଉଳ। ଅର୍ପଣ ରଥରେ ସଂଗୃହିତ ସମସ୍ତ ସାମଗ୍ରୀକୁ ସସମ୍ମାନେ ଗ୍ରହଣ କରିବ ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ। ଶ୍ରୀଜିଉଙ୍କ ପାଇଁ ଭକ୍ତ ଦେଇଥିବା ଚାଉଳ, ଗୁଆ, ଶ୍ରୀଫଳକୁ ତର୍ଜମା କରି ବ୍ୟବସ୍ଥା ଅନୁସାରେ ମହାପ୍ରଭୁଙ୍କ କାର୍ଯ୍ୟରେ ଲଗାଯିବ। ପରିକ୍ରମା ପ୍ରକଳ୍ପ ଉଦଘାଟନ ପୂର୍ବରୁ ରାଜ୍ୟର ଗାଁ ଗାଁରେ ଗଡ଼ିଥିଲା ଜୟ ଜଗନ୍ନାଥ ଅର୍ପଣ ରଥ। ଏହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସ୍ବତଃସ୍ଫୂର୍ତ୍ତ ଭାବେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଚାଉଳ, ଗୁଆ ଓ ନଡ଼ିଆ ପ୍ରଦାନ କରିଥିଲେ।