ରାମରୁ ଆରମ୍ଭ ଜୟ ଶ୍ରୀରାମରେ ଶେଷ, ୩୫ ମିନିଟରେ କ’ଣ କହିଲେ ମୋଦି ଜାଣନ୍ତୁ
![](https://www.odishalink.com/wp-content/uploads/2024/01/WhatsApp-Image-2024-01-22-at-15.20.29-750x430.jpeg)
ଓଏଲ୍ ବ୍ୟୁରୋ: ଅଯୋଧ୍ୟାର ଭବ୍ୟ ମନ୍ଦିରରେ ବିରାଜମାନ ହେଲେ ରାମଲାଲା। ୫୦୦ ବର୍ଷର ଅପେକ୍ଷା ମାତ୍ର ୮୪ ସେକେଣ୍ଡରେ ଆଜି ଶେଷ ହୋଇଛି। ଭାବ, ଶ୍ରଦ୍ଧା ଓ ଆସ୍ଥାର ମହାପର୍ବରେ ଝୁମୁଛି ଭାରତ ସମେତ ସାରା ବିଶ୍ବ। ଏଥିସହିତ ୧୫୨୮ ମସିହାରୁ ଲାଗି ରହିଥିବା ରାମଜନ୍ମଭୂମି ସଂଘର୍ଷର ସୁଖଦ ଅନ୍ତ ଘଟିଛି। ଦିନେ ଯେଉଁଠି ବାବରି ଢାଞ୍ଚା ଥିଲା,ଏବେ ସେଇଠି ରାମ ମନ୍ଦିର ନିର୍ମାଣ ହୋଇଛି। ଯାହା ଏବେ ସାରା ବିଶ୍ବର ଆସ୍ଥାର କେନ୍ଦ୍ର ବନିଛି। ଏଥିସହିତ ପ୍ରଧାନମନ୍ତ୍ରୀ କହିଛନ୍ତି, ଆମ ରାମ ଆସିଗଲେ, ମୁଁ ନୁହେଁ ସମସ୍ତେ ଆଜି ରାମମୟ।ସେବେ ପ୍ରଭୁ ଶ୍ରୀ ରାମ ୧୪ ବର୍ଷର ବନବାସ ଯାଇଥିଲେ, କିନ୍ତୁ ଏହି ଯୁଗରେ ରାମଙ୍କଠୁ ଆମେ ୫୦୦ ବର୍ଷ ଅଲଗା ହୋଇ ରହିଥିଲେ। ଏବେ ରାମଲାଲାଙ୍କ ଭବ୍ୟ ମନ୍ଦିର ଓ ଭକ୍ତଙ୍କ ମଝିରେ ରହିବନି ବାଡ଼।
କାଶୀ ପୀଠର ବେଦଜ୍ଞ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସଂପନ୍ନ କରିଛନ୍ତି। ମୁଖ୍ୟ ଯଜମାନ ଭାବେ ଦାୟିତ୍ୱ ନିର୍ବାହ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ମନ ମୋହୁଛି। ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଯୋଗୀ ଆଦିତ୍ୟନାଥ ଓ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ଉପସ୍ଥିତ ଥିଲେ।
ପ୍ରାଣ ପ୍ରତିଷ୍ଠା ନୀତି ସମ୍ପର୍ନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ମୁଁ ଭାବୁକ, ଆହ୍ଲାଦିତ, ଉଦ୍ଲୋଳିତ, ଆନନ୍ଦିତ, ମର୍ଯ୍ୟାଦିତ, ଶରଣାଗତ, ସନ୍ତୁଷ୍ଟ, ନିଶବ୍ଦ ଓ ରାମମୟ। ଜନତାଙ୍କ ଆରଧ୍ୟା ପ୍ରଭୁ ଶ୍ରୀରାମଙ୍କ ନୂଆ ଏବଂ ଭବ୍ୟ ମନ୍ଦିର ଲୋକାର୍ପଣ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା। ଆଜି ଆମ ରାମ ଆସିଗଲେ। ୫୦୦ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇ ରାମ ବିରାଜମାନ ହେଲେ। ଆଉ ତମ୍ବୁ ତଳେ ରହିବେନି ରାମଲାଲା ବୋଲି କହିଛନ୍ତି।
ଏଥିସହିତ ମୋଦି କହିଛନ୍ତି, କିଛି ଲୋକ କହୁଥିଲେ ରାମ ମନ୍ଦିର ନିର୍ମାଣ ହେଲେ ଦେଶରେ ନିଆଁ ଜଳିବ। ସେହି ଲୋକ ପରବର୍ତ୍ତୀ ସମୟରେ ବୁଝିପାରିଲେ ଯେ, ମନ୍ଦିର ନିଆଁ ନୁହେଁ ଉର୍ଜାର ଜନ୍ମ ଦେଇଛି। ବିରୋଧି ମାନଙ୍କୁ ମୋଦି କହିଛନ୍ତି ଯେ ରାମ ନିଆଁ ନୁହେଁ, ରାମ ଉର୍ଜା। ରାମ ସମସ୍ତଙ୍କର, ରାମ ବିବାଦ ନୁହେଁ ସମାଧାନର ପ୍ରତୀକ।ରାମ ଭାରତର ଚିନ୍ତନ, ରାମ ବିଶ୍ବାସର ପ୍ରତୀକ, ଭାରତ ଦର୍ଶନର ମନ୍ଦିର ଓ ଭାରତର ଚେତନାର ମନ୍ଦିର ହେଉଛି ରାମ ମନ୍ଦିର।
ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା।
ପ୍ରାଣ ପ୍ରତିଷ୍ଠା ସମାରୋହରେ ସେନା ହେଲିକପ୍ଟରଗୁଡିକ ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ଫୁଲ ବର୍ଷା କରିଥିଲେ। ଅଯୋଧ୍ୟା ମନ୍ଦିରରେ ରାମ ଲଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠାକୁ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏହି ଦିବ୍ୟ ସମାରୋହରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ।