ରାଜ୍ୟରେ ଶୀତର ଲେଉଟାଣି; ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି
ଓଏଲ୍ ବ୍ୟୁରୋ: ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ପବନ ଅନୁଭୂତ ହୋଇଛି। ଟ୍ୱିନ ସିଟି କଟକ ଏବଂ ଭୁବନେଶ୍ୱରରେ କୋହଲା ପାଗ ସହ ଲାଗିରହିଛି ଝିପିଝିପି ବର୍ଷା। ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଛି। ବର୍ଷା ଛାଡିବା ପରେ ରାଜ୍ୟରେ ଶୀତ ଲହରୀ ଫେରିପାରେ ବୋଲି ଆକଳନ କରାଯାଉଛି। ଦୁଇଦିନ ଧରି ରାଜ୍ୟରେ ବିଭିନ୍ନ ସ୍ଥାନରେ କୋହଲା ପାଗ ସହ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ତଥା କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୁରୁଚାପ ବଳୟ ପ୍ରଭାବରେ ବର୍ଷା ଲାଗିରହିଛି ବର୍ଷା।
ଗୁରୁଚାପ ବଳୟର ସକ୍ରିୟତା ଆଗାମୀ ୨୫ତାରିଖ ଯାଏଁ ରହୁଥିବାରୁ, ରାଜ୍ୟର କିଛି ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗିରହିବ। ୨୬ରୁ ପାଗରେ ପରିବର୍ତ୍ତନର ସମ୍ଭାବନା ରହିଛି। ଉପଗ୍ରହରୁ ମିଳିଥିବା ପାଣିପାଗ ସମ୍ଭନ୍ଧୀୟ ସଦ୍ୟତମ ଚିତ୍ରରୁ ଏହା ସ୍ପଷ୍ଟ ହେଉଛି ଯେ କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର , ନୂଆପଡା, କଳାହାଣ୍ଡି, ଗଞ୍ଜାମ, ପୁରୀ, କେନ୍ଦ୍ରାପଡା, ଏବଂ ଜଗତସିଂପୁର ଜିଲ୍ଲାର କିଛି ଅଞ୍ଚଳରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।