ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ: ଆକାଶ ମାର୍ଗରେ ପରାକ୍ରମ ଦେଖାଇଲା ‘ପ୍ରଚଣ୍ଡ’
![](https://www.odishalink.com/wp-content/uploads/2024/01/pra.jpg)
ଓଏଲ୍ ବ୍ୟୁରୋ: ଆଜି ଦେଶ ପାଳନ କରୁଛି ୭୫ତମ ସାଧାରଣତନ୍ତ୍ର ଦିବସ। ଏଥିପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଆଜି ଗଣତନ୍ତ୍ରର ସବୁଠୁ ବଡ଼ ପର୍ବ ପାଳନ କରାଯାଉଛି। ଏହି ଅବସରରେ ଆକାଶମାର୍ଗରେ ପରାକ୍ରମ ଦେଖାଇଲା ‘ପ୍ରଚଣ୍ଡ’। ଏହା ସହ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ପରେଡରେ ଭାଗ ନେଇଛନ୍ତି ବିଏସଏଫର ମହିଳା କାଣ୍ଟିଜେଣ୍ଟ ଓ ବ୍ରାସ ବ୍ୟାଣ୍ଡ। ଏଥର କର୍ତ୍ତବ୍ୟ ପଥରେ ମନମୋହିଛି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା। ଦିଲ୍ଲୀ କର୍ତବ୍ୟ ପଥରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପ୍ରଥମଥର ପ୍ରଦର୍ଶିତ ହୋଇଛି।
ଆଜି ରାଜଧାନୀ ଭୁବନେଶ୍ବରରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ। ପତାକା ଉତ୍ତୋଳନ କଲେ ରାଜ୍ୟପାଳ ରଘୁବର ଦାସ। ସେହିପରି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ପରେ ନବୀନ ନିବାସରେ ପାଳିତ ହେଲା ଗଣତନ୍ତ୍ର ଦିବସ। କୁନି କୁନି ପିଲାଙ୍କ ସହ ପାଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକକଳା କରିଛନ୍ତି। ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକକଳା ଆକର୍ଷଣ ପାଲଟିଛି।
ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି। ମୁଖ୍ୟ ଅତିଥି ଭାବେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ ଉପସ୍ଥିତ ରହିଥିଲେ। ପ୍ରଧାନମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ଉପସ୍ଥିତ ରହିଥିଲେ। ସାଧାରଣତନ୍ତ୍ର ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି କହିଛନ୍ତି, କେବଳ ଅଧିକାର ଚାହୁଁଥିବା ପ୍ରଜା ଉନ୍ନତି କରିପାରିବନି’ ଦେଶର ଉନ୍ନତି ପାଇଁ କର୍ତ୍ତବ୍ୟ ସଂପାଦନ କରିବାକୁ ହେବ। ଦେଶକୁ ଆଗକୁ ନେବା ହେଉଛି ସମସ୍ତଙ୍କ ଦାୟିତ୍ବ। ଦେଶକୁ ନୂଆ ଉଚ୍ଚତାକୁ ନେବାକୁ ସୁବର୍ଣ୍ଣ ସୁଯୋଗ ମିଳିଛି। କର୍ପୁରୀ ଠାକୁରଙ୍କ ଜୀବନ ହିଁ ଏକ ସନ୍ଦେଶ। ପୁରୁଷ-ନାରୀ ସମାନତା ବିକଶିତ ଦେଶର ଏକ ଲକ୍ଷଣ। ସେହିପରି ଚନ୍ଦ୍ରଯାନ, ଆଦିତ୍ୟ-L1 ଓ ସାଟେଲାଇଟର ସଫଳତାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।