ବିହାର ରାଜନୀତିରେ ହଲଚଲ: ରବିବାର ଗଠନ ହୋଇପାରେ ନୂଆ ସରକାର

ଓଏଲ୍ ବ୍ୟୁରୋ: କିଛିଦିନ ହେବ ବିହାର ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି। ଜେଡିୟୁ ଓ ଆରଜେଡି ମଧ୍ୟରେ ସବୁ କିଛି ଠିକ୍ ଚାଲିନଥିବା ଖବର ଆକଳନ କରାଯାଉଥିବା ବେଳେ ଏକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇସାରିଛି।
ବିଶେଷ ଭାବେ ୨୦୨୨ ପରଠୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ କୁମାର ପାଖାପାଖି ବସି ଦୀର୍ଘ ସମୟ ଆଲୋଚନା କରୁଥିବାର ଦେଖାଯାଇଥାଏ। କିନ୍ତୁ ଆଜି ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହରେ ଏଥିରେ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ଉଭୟ ପାଖାପାଖି ବସି ନ ଥିବା ବେଳେ ଉଭୟଙ୍କ ମଧ୍ୟରେ ଏକ ଚେୟାର ଫାଙ୍କା ପଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିସହ କାର୍ଯ୍ୟକ୍ରମ ଶେଷ ଯାଏ ରାଜ୍ୟର ଏହି ଦୁଇ ତୁଙ୍ଗ ନେତା ପରସ୍ପର ସହ କଥା ପଦେ ହୋଇଥିବା ଦେଖିବାକୁ ମିଳି ନ ଥିଲା।
ଏସବୁ ମଧ୍ୟରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ, ରବିବାର ଦିନ ନୀତୀଶ କୁମାର ପୁଣିଥରେ ଏନଡିଏରେ ସାମିଲ ହୋଇପାରନ୍ତି। ଆଉ ଏନଡିଏ ସହ ମିଶି ବିହାରରେ ସରକାର ଗଠନ କରିପାରନ୍ତି। ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜତକର ରିପୋର୍ଟ ଅନୁସାରେ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ସୁଶିଲ ମୋଦି ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି।
ବିହାରରେ ଏପରି ରାଜନୈତିକ ଘମାସନ ଚାଲିଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ନୀତୀଶ କୁମାର କିଛି ବଡ଼ ଘୋଷଣା କରି ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହାକୁ ନେଇ ପାଟଣାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇ ଯାଇଛି ଏହି ଚର୍ଚ୍ଚା।