ଦିଲ୍ଲୀରେ ସର୍ବଦଳୀୟ ବୈଠକ; କାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ

ଓଏଲ୍ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ। ବଜେଟ ଅଧିବେଶନ ପୂର୍ବରୁ ଆଜି ସଂସଦରେ ବସିଲା ସର୍ବଦଳୀୟ ବୈଠକ। ବୈଠକରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ରାଜନୈତିକ ଦଳର ସାଂସଦ ସାମିଲ ହୋଇଛନ୍ତି। ବଜେଟ ଅଧିବେଶନକୁ ସୁରୁଖୁରରେ ଚଳାଇବା ପାଇଁ ସବୁ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ର ସରକାର।
ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ଏହାପରେ ଫେବ୍ରୁଆରୀ ୧ ତାରିଖରେ ସଂସଦରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତାର ୬ଷ୍ଠ ଥର ପାଇଁ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନା କରିବେ। ଏଥିସହିତ ଏହା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତିମ ବଜେଟ ହେବ। ଆସନ୍ତାକାଲିଠୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ଫେବୃଆରୀ ୯ ତାରିଖ ଯାଏଁ ଚାଲିବ।