ଶ୍ରେଷ୍ଠ ବିବେଚିତ ହେଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼; ନୂଆଦିଲ୍ଲୀରେ ଟ୍ରଫି ଗ୍ରହଣ କଲେ ଶିଳ୍ପୀ

ଓଏଲ୍ ବ୍ୟୁରୋ: ଚଳିତ ବର୍ଷ ୭୫ତମ ସାଧାରଣତନ୍ତ୍ର ଦିବସରେ ପ୍ରଥମଥର ପାଇଁ କର୍ତ୍ତବ୍ୟପଥରେ ସାଧାରଣତନ୍ତ୍ର ପରେଡରେ ଭାଗ ନେଇଥିଲେ ବିଏସଏଫର ମହିଳା କାଣ୍ଟିଜେଣ୍ଟ ଓ ବ୍ରାସ ବ୍ୟାଣ୍ଡ। ଏଥର କର୍ତ୍ତବ୍ୟ ପଥରେ ମନମୋହିଛି ଓଡ଼ିଶା ପ୍ରଜ୍ଞାପନ ମେଢ଼। ଚଳିତ ବର୍ଷ ଓଡ଼ିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା। ଦିଲ୍ଲୀ କର୍ତବ୍ୟ ପଥରେ ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପ୍ରଥମ ଥର ପ୍ରଦର୍ଶିତ ହୋଇଛି। ଦିଲ୍ଲୀ ଗଣତନ୍ତ୍ର ଦିବସ ପରେଡରେ ସାମିଲ ହୋଇଥିବା ପ୍ରଜ୍ଞାପନ ମେଢ଼ ଶ୍ରେଷ୍ଠ ବିବେଚିତ ହୋଇଛି।
ପ୍ରଜ୍ଞାପନ ମେଢ଼ ଦେଶରେ ନମ୍ବର ଓ୍ବାନ ହୋଇଥିବାବେଳେ ନୂଆଦିଲ୍ଲୀରେ ଟ୍ରଫି ଓ ପ୍ରମାଣପତ୍ର ଗ୍ରହଣ କଲେ ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହରପ୍ରସାଦ ମହାପାତ୍ର ଓ ପ୍ରଜ୍ଞାପନ ମେଢର ଶିଳ୍ପୀ କିର୍ତ୍ତୀ କିଶୋର ମହାରଣା। ଜାତୀୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶାର ପ୍ରଜ୍ଞାପନ ମେଢ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ନାରୀ ସଶକ୍ତୀକରଣକୁ ନେଇ ପ୍ରସ୍ତୁତ ହୋଇଥିଲା ଓଡ଼ିଶା ପ୍ରଜ୍ଞାପନ ମେଢ଼। ପ୍ରଜ୍ଞାପନ ମେଢ଼ରେ ଗୁଜରାଟ ଦ୍ୱିତୀୟ, ତାମିଲନାଡୁ ତୃତୀୟ ବିବେଚିତ ହୋଇଛି।