ଆରମ୍ଭ ହେଲା ବଜେଟ୍ ଉପସ୍ଥାପନ; ଦରଦାମ ଚାପରୁ ମିଳିବ କି ଆଶ୍ବସ୍ତି!

ଓଏଲ୍ ବ୍ୟୁରୋ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କର ଦ୍ୱିତୀୟ କାର୍ଯ୍ୟକାଳର ଅନ୍ତରୀଣ ବଜେଟ୍ ଉପସ୍ଥାପନ କରୁଛନ୍ତି। ଏହା ତାଙ୍କର ଷଷ୍ଠ ବଜେଟ୍ ପରିବେଷଣ। ଆଗକୁ ନିର୍ବାଚନ ଥିବାରୁ ଏହି ବଜେଟରେ ବଡ ଘୋଷଣା ହେବା ନେଇ ସମସ୍ତଙ୍କ ମନରେ ଆଶା ରହିଛି। ବିଶେଷ କରି ଟ୍ୟାକ୍ସରୁ ନେଇ କୃଷକ ଓ ମହିଳାଙ୍କ ପାଇଁ ଏହି ବଜେଟ୍ ଆଶାଜନକ ହେବ ବୋଲି ଆଶା କରାଯାଉଛି। ଏହାସହ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା ବଢିବା ନେଇ ସମ୍ଭାବନା ରହିଛି।
ଚଳିତ ବର୍ଷ ଲୋକସଭା ନିର୍ବାଚନ ହେବାକୁ ଯାଉଥିବାରୁ ଏହା ଏକ କାମଚଳା ବଜେଟ୍ ହେବ। ଏଥିରେ ବଡ଼ ଘୋଷଣା କରିବା ଲାଗି ସରକାରଙ୍କ ପାଖରେ ବିଶେଷ ସୁଯୋଗ ରହିବ ନାହିଁ। ନୂତନ ସରକାର ଗଠନ ହେବା ପର୍ଯ୍ୟନ୍ତ ଏହି ସମୟ ପାଇଁ ବିଭିନ୍ନ କ୍ଷେତ୍ର ଓ ଯୋଜନା ଲାଗି ଆବଶ୍ୟକ ପାଣ୍ଠି ଲାଗି ବଜେଟ୍ରେ ବ୍ୟବସ୍ଥା କରାଯିବ। ନୂତନ ସରକାର ଗଠନ ହେବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପିତ ହେବ। ବର୍ଷକର ଆୟବ୍ୟୟ ହିସାବ ଦେଇ ସରକାର ପ୍ରଥମ ୪ ମାସର ଖର୍ଚ୍ଚ ଅନୁମତି ମାଗିବେ।
ସବୁଠୁ ବଡ଼କଥା ହେଲା କାମଚଳା ବଜେଟ୍ରେ ସରକାର କୌଣସି ନୂଆ ଯୋଜନା କିମ୍ବା ମତଦାତାଙ୍କ ମନ ଜିଣିଲା ଭଳି କାର୍ଯ୍ୟକ୍ରମ ଘୋଷଣା କରି ପାରିବେ ନାହିଁ। କିନ୍ତୁ ବିକାଶର ନକ୍ସା ଆଙ୍କି ପାରିବେ। ଆଗକୁ ନିର୍ବାଚନ ତେଣୁ ବଜେଟ୍ କଟକଣା ସତ୍ତ୍ବେ ମତଦାତାଙ୍କୁ ଏକ ସୁନେଲି ଭବିଷ୍ୟତ ଦେଖାଇବା ସୁଯୋଗକୁ ସରକାର କେବେ ବି ହାତଛଡ଼ା କରିବେ ନାହିଁ।
ବେତନଭୋଗୀ ବର୍ଗଙ୍କୁ ସନ୍ତୁଷ୍ଟ କରିବା ଲାଗି ଆୟକରରେ ପରିବର୍ତ୍ତନ କରାଯାଇପାରେ। ଶିକ୍ଷା, ସ୍ବାସ୍ଥ୍ୟ ଓ କୃଷି ଭଳି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରାଯିବାର ମଧ୍ୟ ସମ୍ଭାବନା ରହିଛି। ଖାଦ୍ୟଶସ୍ୟ, ସାର ଆଦି ପାଇଁ ଅଧିକ ସବ୍ସିଡି ବ୍ୟବସ୍ଥା କରାଯାଇପାରେ। ସୂଚନାଥାଉକି, ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ହେବାର ଗୌରବ ହାସଲ କରିଥିବା ନିର୍ମଳା ବଜେଟ୍ ଉପସ୍ଥାପନ କରିବାରେ ପୂର୍ବତନ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ସମକକ୍ଷ ହେବେ। ପୂର୍ବରୁ ମନମୋହନ ସିଂହ, ଅରୁଣ ଜେଟ୍ଲି, ପି ଚିଦମ୍ବରମ ଓ ଯଶୋବନ୍ତ ସିହ୍ନା ଲଗାତାର ପାଞ୍ଚଟି ବଜେଟ୍ ଉପସ୍ଥାପନ କରିଥିଲେ।