ଚିଲିରେ ଜଳୁଛି ଜଙ୍ଗଲ: ଗଲାଣି ୧୧୨ ଜୀବନ, ଶତାଧିକ ନିଖୋଜ
ଓଏଲ୍ ବ୍ୟୁରୋ: ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ। ଏବେ ଜନବସତିରେ ଆସି ନିଆଁ ପହଞ୍ଚିଲାଣି। ଏଥିପାଇଁ ଚିଲି ସରକାରଙ୍କର ଚିନ୍ତା ବଢିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି। ଶହଶହ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍ ମାର୍ ଓ ଭାଲ୍ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି। ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି। ହଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଅପିଲ କରାଯାଇଛି। ବନାଗ୍ନି ଯୋଗୁ ଦେଶର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାପମାତ୍ରା ଅସାଧାରଣ ଭାବେ ବୃଦ୍ଧି ପାଇବାରେ ଲାଗିଛି।
ଡ୍ରୋନ୍ଦ୍ବାରା ‘ରଏଟର୍ସ’ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ଭିନା ଡେଲ୍ ମାର୍ ଅଞ୍ଚଳ ନିଆଁ ତାପରେ ଉତ୍ତପ୍ତ ହୋଇଯାଇଛି। ବାସିନ୍ଦାମାନେ ପୋଡ଼ି ପାଉଁଶ ହୋଇଯାଇଥିବା ଘରୁ ଜିନିପତ୍ର ଖୋଜାଖୋଜି କରୁଛନ୍ତି। ରାସ୍ତାରେ ଗାଡ଼ିମୋଟର ସବୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି।