ପାନପୋଷରୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ: କହିଲେ-ଦେଶରେ ଘୃଣାଭାବ ସୃଷ୍ଟି କରୁଛି ବିଜେପି

ଓଏଲ୍ ବ୍ୟୁରୋ: କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଜାରି ରହିଛି। ଏହି ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଓଡ଼ିଶାରେ ପହଂଚିଛି। ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ଆଜି ଦ୍ବିତୀୟ ଦିନ। ଏହି ଅବସରରେ ରାଉରକେଲା ବେଦବ୍ୟାସ ମନ୍ଦିରରେ ରାହୁଲ ଗାନ୍ଧି ପହଂଚିଛନ୍ତି। ଏହା ପରେ ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ସେ ବେଦବ୍ୟାସ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି।
ଏହା ପରେ ପାନପୋଷ ସମାବେଶରେ ରାହୁଲ ଗାନ୍ଧି ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ବିଜେପି ଓ ବିଜେଡି ପାର୍ଟନରସିପ୍ ସରକାର ଚାଲିଛି। ଓଡ଼ିଶାରୁ ୩୦ ଲକ୍ଷ ଲୋକ ବାହାର ରାଜ୍ୟକୁ କାମ ପାଇଁ ଯାଇଛନ୍ତି। ଓଡ଼ିଶାକୁ ୩୦ କୋଟିପତି ଲୁଟିବାକୁ ଆସିଛନ୍ତି। ଓଡ଼ିଶାରେ ଆଦିବାସୀ ଓ ଦଳିତଙ୍କ ପ୍ରତି ଅତ୍ୟାଚାର ହେଉଛି। ଦେଶରେ ସବୁଠାରୁ ଅଧିକ ବେରୋଜଗାର ଓଡ଼ିଶାରେ। ଏହା ସହ ନ୍ୟାୟ ଯାତ୍ରାରେ ସାମିଲ ହୋଇଥିବାରୁ ଧନ୍ୟବାଦ ଦେଇଛନ୍ତି।
ପାନପୋଷ ସମାବେଶରେ ରାହୁଲ ଗାନ୍ଧି ଟାର୍ଗେଟ କରି କହିଛନ୍ତି, ଦେଶରେ ଆରଏସଏସ ଓ ବିଜେପି ଘୃଣାଭାବ ସୃଷ୍ଟି କରୁଛନ୍ତି। ଘୃଣାର ବଜାରରେ ଭଲପାଇବାର ବଜାର ଖୋଲିବାକୁ ହେବ। ଗତବର୍ଷ କନ୍ୟାକୁମାରୀରୁ କାଶ୍ମୀର ଯାଏ ଯାତ୍ରା କଲୁ। ଏଥର ଲୋକଙ୍କ ମନର କଥା ଶୁଣିବାକୁ ମୁଁ ଆସିଛି ବୋଲି ପାନପୋଷ ସମାବେଶରେ ରାହୁଲ ଗାନ୍ଧି କହିଛନ୍ତି।