ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୃତ ଇଞ୍ଜିନିୟରଙ୍କ ପତ୍ନୀଙ୍କ ସାକ୍ଷ୍ୟ ଗ୍ରହଣ

ଓଏଲ୍ ବ୍ୟୁରୋ: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ମୃତ ଇଞ୍ଜିନିୟର ସୌମ୍ୟ ସାହୁଙ୍କ ପତ୍ନୀ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ପାଟଣାଗଡ଼ ଏଡିଜେ କୋର୍ଟରେ ରିମାରାଣୀଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି।
ସୂଚନା ଅନୁସାରେ, ୨୦୧୮ ଫେବୃୟାରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା। ନବବଧୂ ରିମା ସାହୁ ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହୋଇଥିଲେ।
ବିବାହ ଉତ୍ସବର ୫ ଦିନ ପରେ ଉପହାର ପ୍ୟାକେଟ୍ ଜରିଆରେ ଏହି ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିବା ରାଜ୍ୟ ତଥା ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ହୋଇଥିଲା। ଏହି ଘଟଣାରେ ତତ୍କାଳୀନ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ବଲାଙ୍ଗୀର, ପାଟଣାଗଡ, ରାୟପୁର ଅଞ୍ଚଳରେ ତଦନ୍ତ କରି ଭଇଁଷା କଲେଜ ଇଂଲିଶ ବିଭାଗ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଘଟଣାର ମାଷ୍ଟରମାଇଣ୍ଡ ଓ ଅଭିଯୁକ୍ତ ଦର୍ଶାଇ ଗିରଫ କରିଥିଲେ।