ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ବାଲୁକା ଶିଳ୍ପୀ ସରିତା ଗୋଚ୍ଛାୟତ

ଓଏଲ୍ ବ୍ୟୁରୋ: ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲା ବାଲୁକା ଶିଳ୍ପୀ ସରିତାଙ୍କ ସ୍ୟାଣ୍ଡ ଆର୍ଟ। ରାଜ୍ୟର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ସରିତା ଗୋଚ୍ଛାୟତ ଏହି ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି। ପିଲାଦିନୁ ବାଲୁକା କଳାକୁ ଏକପ୍ରକାର ନିଶା ଭାବେ ଗ୍ରହଣ କରିଥିବା କୋଣାର୍କ ରାଉଳପାଟଣା ଗାଁର ଦେବେନ୍ଦ୍ର ଗୋଛାୟାତଙ୍କ ଝିଅ ସରିତା ଗୋଛାୟାତ ବାଲୁକା କଳାରେ ରାଜ୍ୟର ପ୍ରଥମ ମହିଳା ବାଲୁକା ଶିଳ୍ପୀ ଭାବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।
ସୂଚନା ଅନୁସାରେ, ଗତ ଡିସେମ୍ବର ୨୪ ତାରିଖରେ ଚନ୍ଦ୍ରଭାଗା ବେଳାଭୂମିରେ ୨୬ ଫୁଟ ଉଚ୍ଚତାର ସୂର୍ଯ୍ୟ ମନ୍ଦିରର ବିଶାଳ ବାଲୁକା କଳାକୃତି ଗଢ଼ିଥିଲେ। ଏହି କଳାକୃତି ଗଢି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ପାଇଁ ସେ ଆଶା ରଖିଥିଲେ। ଏହି ବାଲୁକା କଳାରେ ଓଡ଼ିଶାର କଳା ଓ ଐତିହ୍ୟ ବାର୍ତ୍ତା ପ୍ରଦର୍ଶିତ ହୋଇଥିଲା। ବାଲିରେ ସୂର୍ଯ୍ୟ ମନ୍ଦିରର କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଥିବାବେଳେ ଏହି ବିଶାଳ ବାଲୁକା କଳାକୃତି ନିର୍ମାଣ କରିବାକୁ ସରିତାଙ୍କ ସହିତ କୋଣାର୍କ ସ୍ୟାଣ୍ଡ ଆର୍ଟର ଛାତ୍ରଛାତ୍ରୀଙ୍କୁ ୩୬ ଘଣ୍ଟା ସମୟ ଲାଗିଥିଲା। ତେବେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ସେ ବାଲୁକା କଳା ଶିଖିଥିବା କହିଛନ୍ତି।