କଟକରୁ ବିଧାୟକ ହେବେ ଅରିନ୍ଦମ!

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଓଡ଼ିଶା ରାଜନୀତି ସରଗରମ। ବିଭିନ୍ନ ଦଳ ସାଧାରଣ ନିର୍ବାଚନକୁ ନଜରରେ ରଖି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ରାଜ୍ୟସଭା ନିର୍ବାଚନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫେବ୍ରୁଆରୀ ୨୭ରେ ଅନୁଷ୍ଠିତ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାରୁ ୩ଜଣ ଯିବେ ରାଜ୍ୟସଭା। ଏଥିପାଇଁ ଶାସକଦଳ ଦୁଇ ଜଣଙ୍କ ନାମ ଘୋଷଣା କରି ସାରିଛି। ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀର ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ଆଉ ଏହି ଦୁଇ ଜଣ ରାଜ୍ୟସଭା ଯିବା ନିଶ୍ଚିତ ହୋଇଥିବା ବେଳେ ଆଉ ଜଣଙ୍କ ନାମ ଘୋଷଣା କରିନାହିଁ ବିଜେଡି। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି।
ଏସବୁ ମଧ୍ୟରେ କଡ଼ ଲେଉଟାଇବାରେ ଲାଗିଛି କଟକ ରାଜନୀତି। ବିଶେଷକରି ବାରବାଟୀ-କଟକ ରାଜନୀତିର ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି। ଦେବାଶିଷ ସାମନ୍ତରାୟ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରି ସାରିଥିବା ବେଳେ ତାଙ୍କ ସ୍ଥାନରେ ଆଗାମୀ ବିଧାନସଭା ନିର୍ବାଚନରେ କିଏ କଟକ-ବାରବାଟୀ ଆସନରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା। ଏସବୁ ମଧ୍ୟରେ ଓଲିଉଡ ହିରୋ ଅରିନ୍ଦମ ରାୟ କଟକ-ବାରବାଟୀରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।
ସୂଚନାଥାଉକି, କଟକ ବାରବାଟୀରୁ ତିନି ଥର ନିର୍ବାଚନ ଲଢ଼ିଥିବା ଦେବାଶିଷ ଦୁଇଥର ବାଜିମାତ କରିଛନ୍ତି। ପୂର୍ବରୁ ସେ ତିର୍ତୋଲରୁ ବି ବିଧାୟକ ହୋଇଥିଲେ।ଗତ ନିର୍ବାଚନରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଠାରୁ ହାରିଥିବା ଦେବାଶିଷ ୨୦୨୪ରେ ପୁଣି କଟକ ବାରବାଟୀରୁ ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇ କଟକ ବାରବାଟୀରୁ ଅରିନ୍ଦମଙ୍କ ପାଇଁ ବିଜେଡ଼ି ରାସ୍ତା ପରିଷ୍କାର କରିଥିବା ଚର୍ଚ୍ଚା ଜୋର ଧରିଛି।
ଏପରିକି ବାରବାଟୀ-କଟକ ଆସନରୁ ଟିକେଟ ପାଇବା ପାଇଁ କଟକ ମେୟର ସୁବାସ ସିଂ ଓ ଓସିଏ ସମ୍ପାଦକ ସଂଜୟ ବେହେରା ମଧ୍ୟ ଆଶାୟୀ ଥିଲେ। ପ୍ରତ୍ୟକ୍ଷ ନିର୍ବାଚନରେ ସୁବାସ ମେୟର ହୋଇଛନ୍ତି। ସେହିପରି ସଂଜୟ ଆଶାୟୀ ଥିଲେବି ତାଙ୍କୁ ଚିଟଫଣ୍ଡ ଭୂତ ଗୋଡ଼ାଉଛି। ତାଙ୍କ ବାପା ଆଶୀର୍ବାଦ ବେହେରା ଚିଟଫଣ୍ଡ ଠକେଇରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ।ଗୋଟିଏ ପଟେ ଭର୍ତୃହରି ମହତାବଙ୍କ ଭଳି ହେଭିୱେଟ ନେତା ବିଜେପି ଯିବା ନେଇ ଚର୍ଚ୍ଚା ହେଉଛି। ଏଭଳି କ୍ଷେତ୍ରରେ ଅରିନ୍ଦମ ରାୟଙ୍କୁ କଟକ ବାରବାଟୀ ଟିକେଟ ମିଳିବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟଯେ, ନିକଟରେ ଅରିନ୍ଦମଙ୍କୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା। ବିଜେଡିରେ ଥିବା ଓଲିଉଡ଼ ତାରକା ପ୍ରଶାନ୍ତ ନନ୍ଦ, ମୁନ୍ନା ଖାଁ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକଙ୍କୁ ଦଳ ଟିକେଟ ଦେଇଛି। ଯେଉଁଥିପାଇଁ ସେହି ନେତାମାନେ ଲୋକସଭା, ରାଜ୍ୟସଭା ଅବା ବିଧାନସଭା ଯିବାରେ ସଫଳ ହୋଇଛନ୍ତି। ଏବେ ଦେବାଶିଷଙ୍କୁ ରାଜ୍ୟସଭା ପଠାଇ ଅରିନ୍ଦମଙ୍କ ପାଇଁ ରାସ୍ତା ପରିଷ୍କାର କରାଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି।