ଆଜିଠୁ କୃଷକଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ; କଡ଼ା କଟକଣା ଜାରି କଲା ପୁଲିସ ପ୍ରଶାସନ

ଓଏଲ୍ ବ୍ୟୁରୋ: ଚାଷୀ ଆନ୍ଦୋଳନକୁ ନଜରରେ ରଖି ଦିଲ୍ଲୀରେ ସମାବେଶ କଟକଣା ଜାରି କରାଯାଇଛି। ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି। ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ମନା ବୋଲି ଦିଲ୍ଲୀ କମିଶନର କହିଛନ୍ତି। ପିସ୍ତଲ, ଜ୍ୱଳନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ଉପରେ ବି କଟକଣା ଜାରି ହୋଇଛି। ଏହା ସହ ଇଟା, ପଥର, ପେଟ୍ରୋଲ ବୋମା, ସୋଡ଼ା ବୋତଲ ଉପରେ ନଜର ରହିବ।
ଅନ୍ୟପଟେ, ବିଭିନ୍ନ ଦାବି ନେଇ ଆଜିଠୁ ଚାଷୀ ସଂଗଠନର ଦିଲ୍ଲୀ ଚଲୋ ଆନ୍ଦୋଳନ। ଗତକାଲି ଚଣ୍ଡିଗଡରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ଡାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି। ଫସଲର ଏମଏସପି ପ୍ରସଙ୍ଗରେ କୌଣସି ବୁଝାମଣା କରିବାକୁ ଚାଷୀ ସଂଗଠନ ଅଡିବସିବାରୁ ବୈଠକ ଫେଲ ମାରିଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଆଜି ଦିଲ୍ଲୀରେ ହଜାର ହଜାର କୃଷକ ବିକ୍ଷୋଭ ସାଙ୍ଗକୁ ଟ୍ରାକ୍ଟର ରାଲି କରିବା ନେଇ ସଜବାଜ ହେଉଥିବାବେଳେ ପଞ୍ଜାବ ଓ ହରିୟାଣାର ୨୦୦ କୃଷକ ସଂଗଠନ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହୋଇଥିଲେ। ପାଖାପାଖି ୨୦,୦୦୦ରୁ ଅଧିକ କୃଷକ ଏକ ସମୟରେ ଆନ୍ଦୋଳନ କରିବାକୁ ଥିବାରୁ ପଞ୍ଜାବ, ହରିୟାଣା ଏବଂ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା। କିଛି ସମୟ ପୂର୍ବରୁ ହରିୟାଣା ସରକାର ଦୁଇଟି ଷ୍ଟାଡିୟମରେ ଅସ୍ଥାୟୀ ଜେଲରେ ବ୍ୟବସ୍ଥା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ କମିଶନର ରାଜଧାନୀରେ ବିଶାଳ ସମାବେଶ ଉପରେ ରୋକ୍ ଲଗାଇଛନ୍ତି।