ବାଜିଲାଣି ନିର୍ବାଚନୀ ବିଗୁଲ; ଓଡ଼ିଶା ଅଭିମୁଖେ ବରିଷ୍ଠ ବିଜେପି ନେତା ଶିବରାଜ ସିଂ ଚୌହାନ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ୨୦୨୪ ନିର୍ବାଚନ ପାଇଁ ଓଡ଼ିଶା ମୁହାଁ କେନ୍ଦ୍ରୀୟ ନେତୃତ୍ୱ। ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ବରିଷ୍ଠ ନେତା ଶିବରାଜ ସିଂହ ଚୌହ୍ୱାନ। କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ସମୀକ୍ଷା କରିବେ। ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଜଗତସିଂହପୁର ଗସ୍ତ କରିବେ। ଜଗତସିଂହପୁର ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବା ପରେ ଶିବରାଜ ମାଆ ଶାରଳାଙ୍କୁ ଦର୍ଶନ କରି ଆଶୀର୍ବାଦ ନେବେ।
ଏହା ପରେ ୧୫ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ମଧ୍ୟ ଓଡ଼ିଶା ଆସିବେ। ସେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପୁରୀ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବେ। ଗଡ଼କରୀଙ୍କ ପରେ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିପରି ମାସ ଶେଷ ବେଳକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିପାରନ୍ତି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।