ନାମାଙ୍କନ ଭରିଲେ ଶୁଭାଶିଷ ଓ ଦେବାଶିଷ; ତୃତୀୟ ପ୍ରାର୍ଥୀଙ୍କୁ ନେଇ ବଢୁଛି ସସପେନ୍ସ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏହାରି ମଧ୍ୟରେ ଆଗାମୀ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ। ବିଜେଡି ଘୋଷଣା କରିଥିବା ଦୁଇ ପ୍ରାର୍ଥୀ ଆଜି ନାମାଙ୍କନ ଭରିଛନ୍ତି। ପ୍ରାର୍ଥିପତ୍ର ଦାଖଲ କଲେ ଶୁଭାଶିଷ ଓ ଦେବାଶିଷ।
ଗତକାଲି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା ବିଜେଡି। ୩ଟି ଆସନ ମଧ୍ୟରୁ ୨ଟି ପାଇଁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ରାଜ୍ୟ ଯୁବ ବିଜେଡି ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରାଯାଇଛି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦୁଇ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ରାଜ୍ୟସଭା ନିର୍ବାଚନରେ ବିଜେଡିର ତିନି ପ୍ରାର୍ଥୀ ଜିତିବା ଏକ ପ୍ରକାର ସ୍ପଷ୍ଟ। ହେଲେ ତୃତୀୟ ପ୍ରାର୍ଥୀଙ୍କ ନାମ ଘୋଷଣା ନକରି ସମସ୍ତଙ୍କୁ ସସପେନ୍ସରେ ରଖିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେଣୁ ରାଜ୍ୟସଭା ଦୌଡରେ ଆଦୌ ଚର୍ଚ୍ଚାରେ ନଥିବା ନେତାଙ୍କୁ ତୃତୀୟ ପ୍ରାର୍ଥୀ କରି ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଚମକାଇ ଦେଇପାରନ୍ତି।
ରାଜ୍ୟସଭା ପ୍ରାର୍ଥୀ ହେବା ପରେ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଧାନସଭାରୁ ସଂସଦକୁ ଯିବା ମୋ ପାଇଁ ପ୍ରମୋସନ। ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ କୃତଜ୍ଞତା ଜଣାଉଛି। ସଂସଦରେ ଓଡ଼ିଶାର ହିତ ପାଇଁ ଲଢ଼େଇ କରିବୁ। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେବେ, ନିର୍ଦ୍ଦେଶ ଦେବେ ପାଳନ କରିବି। ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନିଅନ୍ତି, ଭାବିଚିନ୍ତି ନିଅନ୍ତି। କଟକ-ବାରବାଟୀ ବିଧାୟକ ପ୍ରାର୍ଥୀ ଘୋଷଣା ବେଳେ ବି ସରପ୍ରାଇଜ ଦେବେ ବୋଲି ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ରଖିଛନ୍ତି।
ସୂଚନା ଅନୁସାରେ, ଫେବ୍ରୁଆରୀ ୨୭ରେ ହେବ ରାଜ୍ୟସଭା ନିର୍ବାଚନ। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଫେବ୍ରୁଆରୀ ୧୫ରେ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରୀ ୧୬ରେ ପ୍ରାର୍ଥିପତ୍ର ଯାଂଚ, ୨୦ରେ ହେବ ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ।